ମୋବାଇଲ୍ କବଳରେ ପିଲା

 ମୋବାଇଲ୍ ବ୍ୟବହାର ଏତେ ମାତ୍ରାରେ ବଢିଯାଇଛି ଯେ, ଏବେ ଛୋଟ ପିଲାଙ୍କଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ  ଏଥିରେ ବ୍ୟସ୍ତ ରହୁଛନ୍ତି  । ବିଶେଷକରି କମ୍ ବୟସର କୋମଳମତି ଶିଶୁ, ପିଲା ଓ ଯୁବବର୍ଗଙ୍କୁ ମୋବାଇଲ୍ ନିଶା ଘାରିଛି  । ମୋବାଇଲରେ ବେସି ସମୟ ବ୍ୟସ୍ତ ରହୁବାରୁ ସେମାନଙ୍କ ଆଚାର ଓ ବ୍ୟବହାର ବି ଦିନକୁ ଦିନ ବଦଳିବାରେ ଲାଗିଛି  । ଯେଉଁ ବୟସରେ ଛୋଟ ଛୋଟ ପିଲାମାନେ ଖେଳକୁଦ ସାଙ୍ଗକୁ ପରିବାରର ସ୍ନେହ ମମତା ଭିତରେ ବାନ୍ଧି ହୋଇ ରହିବା କଥା ସେହି ସମୟରେ ବହୁ ଶିଶୁ ଘଣ୍ଟା ଘଣ୍ଟା ମୋବାଇଲରେ ସମୟ ବିତାଉଥିବା ଦେଖିବାକୁ ମିଳୁଛି । ପିଲାମାନଙ୍କ ଅଝଟକୁ ବନ୍ଦ କରିବା ପାଇଁ ବିଗତ କିଛି ବର୍ଷ ହେଲା ମୋବାଇଲ ଏକ ମାଧ୍ୟମ ପାଲଟିଛି  । କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ରହୁଥିବା ଅଭିଭାବକ ଓ ବାପା ମା’ ନିଜ ପିଲାଙ୍କ ହାତରେ ପ୍ରାୟତ ଖଣ୍ଡିଏ ମୋବାଇଲ୍ ଧରାଇ ସେମାନଙ୍କୁ ଶାନ୍ତ କରାଉଥିବା କ୍ରମଶଃ ଦେଖିବାକୁ ମିଳିଛି  । ମୋବାଇଲ ଦେଖା କୋମଳମତି ଶିଶୁଙ୍କ ଏକ ନିଶାରେ ପରିଣତ ହୋଇଗଲାଣି  । ଏପରିକି ବହୁ ଶିଶୁ ଖାଇବା ସମୟରେ ମଧ୍ୟ, ମୋବାଇଲ୍ ଦେଖି ଖାଦ୍ୟ ଖାଉଥିବା ଦେଖିବାକୁ ମିଳୁଛି  । ଏହା ପିଲାଙ୍କ ମାନସିକ ସ୍ଥିତି ଓ ସ୍ୱାସ୍ଥ୍ୟ କ୍ଷତିକାରକ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି  । ମୋବାଇଲ ନିଶାର ପ୍ରଭାବ ଛୋଟ ପିଲାଙ୍କ ଉପରେ ପଡୁଥିବା ବେଳେ ସେମାନେ ପାଠପଢାରେ ଦୁର୍ବଳ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି  । ଶରୀରିକ ଦକ୍ଷତା ଉପରେ ମଧ୍ୟ ଏହା କୁପ୍ରଭାବ ପକାଉଛି  । ଏଥିପାଇଁ ବହୁ କୋମଳମତି ଶିଶୁଙ୍କ ଅଭିଭାବକ ସଂପୁର୍ଣ୍ଣ ରୂପେ ଦାୟୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି  । ଶିଶୁମାନେ ଅତ୍ୟଧିକ ମୋବାଇଲ ବ୍ୟବହାର କରିବା ଦ୍ୱାରା ଚକ୍ଷୁବାଧିତ ରୋଗରେ ଆକ୍ରାନ୍ତ ହେବା ସାଙ୍ଗକୁ ଅଳ୍ପ ବୟସରୁ ଆଖିକୁ କମ୍ ଦେଖାଯିବା, ଆଖିରୁ ଲୁହ ବୋହିବା, ଆଖି କୁଣ୍ଡାଇବା, ସୁନିଦ୍ରା ନହେବା ଭଳି ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି  । ଏହି ନିଶା କେବଳ ପିଲାଙ୍କ କ୍ଷେତ୍ରରେ ସୀମିତ ନୁହେଁ ବରଂ ଯୁବବର୍ଗଙ୍କୁ ବି ମୋବାଇଲ ନିଶା ଘାରିଛି  । ଏହାର କୁପ୍ରଭାବ ପିଲାଙ୍କ ଉପରେ ପଡୁଥିବାରୁ ସାମ୍ପ୍ରତିକ ପରିସ୍ଥିତିରେ ସଚେତନ ହେବାର ନିତ୍ୟାନ୍ତ ଆବଶ୍ୟକତା ରହିଛି  । ଶିଶୁମାନଙ୍କ ସମୀପ ଦୃଷ୍ଟି ଓ ଗଭୀର ଦୂର ଦୃଷ୍ଟି ମୋବାଇଲ ଯୋଗୁଁ ପ୍ରଭାବିତ ହେଉଛି  । ଅଭିଭାବକମାନେ ନିଜ ପିଲାଙ୍କୁ ଯଥ ଯଥା ସମ୍ଭବ ମୋବାଇଲ, ଟିଭି ଓ କମ୍ପୁ୍ୟଟର ଠାରୁ ଦୂରେଇ ରଖିବା ଦିଗରେ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦୃଢ ମତ ପ୍ରକାଶ ପାଉଛି  ।