ଆଲୋଚନା ପରେ କୃଷକଙ୍କ ଦିଲ୍ଲୀ ଚଲୋ ଯାତ୍ରା ସ୍ଥଗିତ
ନୂଆଦିଲ୍ଲୀ: ବିଭିନ୍ନ ଦାବି ନେଇ ଆନେ୍ଦାଳନକୁ ଓହ୍ଲାଇଥିବା କୃଷକମାନେ ‘ଦିଲ୍ଲୀ ଚଲୋ' ଯାତ୍ରା ସ୍ଥଗିତ ରଖିବାକୁ ରାଜି ହୋଇଛନ୍ତି । ଆଜି ଦିଲ୍ଲୀ-ନୋଏଡା ସୀମା ଏବଂ ଯମୁନା ଏକ୍ସପ୍ରେସ-ୱେରେ ନୋଏଡା ପ୍ରଶାସନ ଏବଂ କୃଷକଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଆଲୋଚନା ପରେ କୃଷକମାନେ ସଂସଦ କମ୍ପ୍ଲେକ୍ସ ଅଭିମୁଖେ ଆରମ୍ଭ କରିଥିବା ‘ଦିଲ୍ଲୀ ଚଲୋ' ପଦଯାତ୍ରାକୁ ସ୍ଥଗିତ ରଖିବାକୁ ରାଜି ହୋଇଛନ୍ତି । ଏହାପରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଲାଗିଥିବା ବ୍ୟାରିକେଡ ହଟିଛି ଏବଂ ଯାତାୟାତ ଆରମ୍ଭ ହୋଇଛି ।
ଉତ୍ତରପ୍ରଦେଶର ୨୦ଟି ଜିଲ୍ଲାର କୃଷକମାନେ ବିଭିନ୍ନ ଦାବି ନେଇ ‘ଦିଲ୍ଲୀ ଚଲୋ' ଡାକରା ଦେଇ ସଂସଦ କମ୍ପ୍ଲେକ୍ସ ଅଭିମୁଖେ ବାହାରିଥିଲେ । ଲୋକସଭାର ଶୀତ ଅଧିବେଶନ ବସିଥିବା ସମୟରେ ସରକାର ନିକଟରେ ଦାବି ଉପସ୍ଥାପନ କରିବାକୁ ଯୋଜନା କରିଥିଲେ । କୃଷକଙ୍କ ଏହି ଯୋଜନା ପରେ ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ଦିଲ୍ଲୀ-ନୋଏଡା ସୀମାରେ ବ୍ୟାରିକେଡ ଲଗାଇଥିଲା ।
ଫଳରେ ଆଜି ଦିନତମାମ ଜାତୀୟ ରାଜଧାନୀରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା । ଏହାରି ମଧ୍ୟରେ ନୋଏଡା ପ୍ରଶାସନ ଏବଂ କୃଷକଙ୍କ ଆଲୋଚନା ଚାଲିଥିଲା । ଦୀର୍ଘ ସମୟର ଆଲୋଚନା ପରେ ଶେଷରେ ‘ଦିଲ୍ଲୀ ଚଲୋ' ଯାତ୍ରାକୁ ସ୍ଥଗିତ ରଖିବାକୁ ରାଜି ହୋଇଛନ୍ତି କୃଷକ ସଂଗଠନ ।
ପ୍ରକାଶ ଥାଉକି, କୃଷକମାନେ ପୁରୁଣା ଜମି ଅଧିଗ୍ରହଣ ଆଇନ ଅନୁସାରେ ଜମି ଅଧିଗ୍ରହଣ ପାଇଁ ହରାଇଥିବା ଜମିର ୧୦% ଜମି ଏବଂ ୬୪.୭% ବର୍ଦ୍ଧିତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ଏହା ସହିତ ୨୦୧୪ ଜାନୁଆରି ୧ ତାରିଖ ପରେ ଅଧିଗ୍ରହଣ ହୋଇଥିବା ଜମି ଉପରେ ବଜାର ଦର କ୍ଷତିପୂରଣ ଏବଂ ୨୦% ଜମି, ଭୂମିହୀନ ଚାଷୀଙ୍କ ପିଲାଙ୍କୁ ଚାକିରି ଏବଂ ପୁନର୍ବାସର ସୁବିଧା, ହାଇ ପାୱାର କମିଟି ଦ୍ୱାରା ପାସ୍ ହୋଇଥିବା ପ୍ରସଙ୍ଗଗୁଡିକ ଉପରେ ସରକାରୀ ନିଦେ୍ର୍ଦଶ ଜାରି ଆଦି ଦାବି ନେଇ ଆନେ୍ଦାଳନକୁ ଓହ୍ଲାଇଥିଲେ ।