୬ ଶିଶୁ ସହ ୧୧ ଦାଦନ ଶ୍ରମିକ ଉଦ୍ଧାର
ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ନକଟିକାନୀ ଗାଁରୁ ବୁଧବାର ୬ଜଣ ଶିଶୁ ସହ ୧୧ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ଗୋଲାମୁଣ୍ଡା ପୁଲିସ । ଏହି ଘଟଣାରେ ପୁଲିସ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାମତେ ପଡୋଶୀ ବଲାଙ୍ଗୀର ଜିଲ୍ଲା ଓ ବରଗଡ଼ ଜିଲ୍ଲାର ଶ୍ରମିକ ମାନଙ୍କୁ ନେଇ ମୁଖ୍ୟ ଦାଦନ ସର୍ଦ୍ଦାର ଡିଙ୍ଗର ତାଣ୍ଡି ଓ କାଳିଆ ମାଝୀ ତେଲେଙ୍ଗାନା ରାଜ୍ୟର ସିକନ୍ଦରାବାଦ ସହରସ୍ଥିତ ଏକ ଇଟା ଭାଟିରେ ଶ୍ରମିକ ଭାବେ ନିୟୋଜିତ କରିବା ପାଇଁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଚାଲାଣ କରୁଥିଲେ । ପ୍ରଥମେ ବାଉନମାଲରୁ ଦେଉଳଗାଁ ଜଙ୍ଗଲରେ ରଖି ଏହି ଶ୍ରମିକମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ । ପରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ନକଟିକାନୀ ଗ୍ରାମରେ ଶ୍ରମିକମାନଙ୍କୁ ଆଣି ଲୁଚାଇ ରଖିଥିଲେ । କୌଣସି ସୂତ୍ରରୁ ଖବର ପାଇ ଗୋଲାମୁଣ୍ଡା ପୁଲିସ ନକଟିକାନୀ ଗ୍ରାମରେ ପହଞ୍ଚି ୬ଜଣ ଶିଶୁ ସହ ୧୧ଜଣ ଦାଦନ ଶ୍ରମିକ ଉଦ୍ଧାର କରିଛି । ତେବେ ମୁଖ୍ୟ ଦାଦନ ସର୍ଦ୍ଦାର ଡିଙ୍ଗର ତାଣ୍ଡି ଓ କାଳିଆ ମାଝୀ ଫେରାର୍ ହୋଇଯାଇଛନ୍ତି । ତାଙ୍କର ସହଯୋଗୀ ଉଗ୍ରେ ଶବର, ଗିରିଧାରୀ ବାଗ ଓ ପବିତ୍ର ତାଣ୍ଡିକୁ ଗୋଲାମୁଣ୍ଡା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ଗୋଲାମୁଣ୍ଡା ଥାନାଧିକାରୀ ଶ୍ୱେତାପଦ୍ମା ସେଠଙ୍କୁ ପଚାରିବାରୁ ପ୍ରଥମେ ୩ଜଣଙ୍କ ନାଁରେ ଅଭିଯୋଗ ଆସିବା ମାତ୍ରେ ଗିରଫ କରି କୋର୍ଟ ଚାଲାଣ କରିଛୁ । ଅନ୍ୟମାନଙ୍କ ନାଁରେ ଅଭିଯୋଗ ଆସିଛି । ଅଭିଯୋଗକୁ ଭିତ୍ତ କରି ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାହେବ ବୋଲି କହିଥିଲେ ।