ହୋମିଓପାଥିକ ଚିକିତ୍ସାଳୟରେ ଡାକ୍ତର ଅଭାବ
କବାଟବନ୍ଧ: ସରକାର ରୋଗୀ ଓ ରୋଗର ଉପଶମ ପାଇଁ ଅନେକ ଅର୍ଥ ଖର୍ଚ୍ଚ କରୁଛନ୍ତି । କିନ୍ତୁ ଅନେକ ସ୍ଥାନରେ ସମସ୍ୟା ଦେଖାଯାଉଛି । ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ପାଇକରାପୁର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ଆୟୁଷ ) ହୋମିଓ ପାଥିକ ଚିକିତ୍ସାଳୟକୁ ଉଦାହରଣ ଭାବେ ନିଆଯାଇପାରେ । ଏଠାରେ ଡାକ୍ତର ନଥିବାରୁ ରୋଗୀ ସେବା ବାଧାପ୍ରାପ୍ତ ହେଉଛି । ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡାକ୍ତର ଖାନାରେ ସ୍ଥାୟୀ ଡାକ୍ତର କେହି ନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଡାକ୍ତର ଖାନାରେ ରେଖିଦେଇପୁର ତାଳଜଙ୍ଗ, ରାଇଛନ୍ଦା,ଏଣ୍ଡଳବା ଭଳି ଅନେକ ପଞ୍ଚାୟତର ୧୦ ହଜାରରୁ ଊଦ୍ଧ୍ୱର୍ ଲୋକ ଏହା ଉପରେ ନିର୍ଭଳ ରହିଥାନ୍ତି । ଏହିଅଞ୍ଚଳରେ ବାୟୁ, ଜଳ, ସ୍ଥଳ, ଆକାଶ ଆଦି ପଦୂଷିତ ହୋଇ ରୋଗୀ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ମେଡିକାଲରେ ଦେଖିବାକୁ ମିଳୁଛି ଅବ୍ୟବସ୍ଥା । ଗରିବ ଶ୍ରେଣୀର ଲୋକମାନେ ଏହି ଡାକ୍ତରଖାନା ଉପରେ ନିର୍ଭରଶୀଳ । ୧୯୭୬ମସିହାରେ ସ୍ଥାପିତ ହୋଇଥିଲା ଏହି ହୋମିଓ ପାଥିକ ସ୍ୱାସ୍ଥ୍ୟ କେନ୍ଦ୍ର । ଡାକ୍ତର ଖାନାରେ ତିନିଜଣ କର୍ମଚାରୀ ନିଯୁକ୍ତି ହେବାର ବ୍ୟବସ୍ଥା ରହିଛି । ଜଣେ ଡାକ୍ତର, ଆସିଷ୍ଟାଣ୍ଡ ଡାକ୍ତର ଜଣେ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ (ପିଟିଏ )ଜଣେ । ଏହି ଡାକ୍ତରଖାନାକୁ କୌଣସି ସ୍ଥାୟୀ ଡାକ୍ତର ନାହାଁନ୍ତି । ଏହି ବିଭାଗର ଅବହେଳାପାଇଁ ପୁରାତନ ସରକାରୀ ଡାକ୍ତରଖାନାଟି ଅଚଳାବସ୍ଥା ପାଲଟିଯାଇଛି । ଏକ ମାତ୍ର ଡାକ୍ତର ଆସୁଛନ୍ତି ତାହା ପୁଣି ସପ୍ତାହକୁ ଗୋଟିଏ ଦିନ କେବଳ ବୁଧବାର । ସରକାରଙ୍କର ନିୟମଅନୁଯାୟୀ ଜଣେ ଡାକ୍ତର ନିଯୁକ୍ତି ସ୍ଥାନରୁ ଅନ୍ୟ ସ୍ଥାନକୁ ୨୦ କିଲୋମିଟର ଦୂରତା ଭିତରେ ଅନ୍ୟ ଡାକ୍ତର ଖାନା ମଧ୍ୟରେ ରୋଗୀ ସେବା ଯୋଗାଇ ପାରିବେ । କିନ୍ତୁ ଡାକ୍ତର ବାବୁ ଜଣଙ୍କ ୪୦ କିଲୋମିଟର ଦୂରତାରୁ ଆସି ସପ୍ତାହକ ରେ ଏକ ଦିନ ରୋଗୀ ସେବା କରି ନିଯୁକ୍ତି ପାଇଥିବା ବାତୋ ଠେଙ୍ଗଣ ସ୍ଥାନକୁ ଚାଲିଯାଥାନ୍ତି । ଆଉ ଅନ୍ୟ ଦିନମାନଙ୍କ ଏହି ଡାକ୍ତରଖାନା ବନ୍ଦ ରହିଥାଏ । ଅନ୍ୟଦିନ ମାନଙ୍କରେ ରୋଗୀମାନେ ଆସି ହତାଶ ହୋଇ ଫେରିଯାନ୍ତି । ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ କଥା ନକହିବା ଭଲ । କର୍ମଚାରୀ ଜଣଙ୍କ ୨୦୨୨ମସିହାରୁ ଅବସର ଗ୍ରହଣ କଲେଣି । କିନ୍ତୁ ଏହି ଡାକ୍ତର ଖାନାରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି କେହି ହୋଇନାହାଁନ୍ତି । କହିବାକୁ ଗଲେ ଜଣେ ବାବୁଙ୍କୁ ନେଇ ଏହି ଡାକ୍ତରଖାନା ଚାଲୁଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଛି । ପ୍ରଶାସନ ଦୁଷ୍ଟି ଦେବାକୁ ଦାବୀ ହେଉଛି ।