କାଗଜ କଲମରେ ସୀମିତ‘ଆପୋଷ ଯୋଜନା’

 କଟକ: କମିଶନରେଟ ପୁଲିସର ଆପୋଷ ଯୋଜନା ଏବେ ସ୍ଥାଣୁ ପାଲଟିଛି । ଯେଉଁ ଲକ୍ଷ୍ୟ ଓ ଆଭିମୁଖ୍ୟ ନେଇ ଏହି ଯୋଜନା ଆରମ୍ଭ କରାଯାଇଥିଲା ତାହା ବିଫଳ ହୋଇଛି । ଅପରାଧ ବୃଦ୍ଧିକୁ ରୋକିବା ପାଇଁ ଏହି ଯୋଜନାକୁ କଟକ ସହରର ୨୬୪ଟି ବସ୍ତିରେ କାର୍ଯ୍ୟକାରୀ କରାଯାଇଥିଲା । ୨୦୧୯ମସିହା ଫେବୃଆରୀ ୧୧ତାରିଖରେ ବସ୍ତିଗୁଡ଼ିକରେ ଏହି ଯୋଜନା ଲାଗୁ ହୋଇଥିଲା । ଏହା ଭିତରେ ୫ବର୍ଷ ବିତି ଯାଇଥିବାବେଳେ ସର୍ବାଧିକ ଅପରାଧ ବସ୍ତିଗୁଡ଼ିକରେ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ପୁଲିସ କ୍ରୀଡ଼ା ବିଭାଗ ଏବଂ ମହାନଗର ନିଗମ ମିଳିତ ଭାବେ ଏହି ଯୋଜନାକୁ ପରିଚାଳନା କରିବାର ଦାୟିତ୍ୱ ନେଇଥିଲେ । କିନ୍ତୁ ସମନ୍ୱୟର ଅଭାବ ଯୋଗୁଁ ଆପୋଷ ଯୋଜନା କାଗଜ କଲମରେ ସୀମିତ ରହିଯାଇଛି । ମୁଖ୍ୟତଃ ବସ୍ତିର ଯୁବକ ଅପରାଧ ତାଲିକାରେ ନାମ ଥିବା ବ୍ୟକ୍ତି, ପୂର୍ବରୁ ଗିରଫ ହୋଇ ଜାମିନରେ ଆସି ବସ୍ତିରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ଏକ ସକରାତ୍ମକ ଭାବନା ସୃଷ୍ଟି କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ଥିଲା । ଏମାନଙ୍କୁ ବିଭିନ୍ନ କ୍ରୀଡ଼ା ସାମଗ୍ରୀ ତଥା ଫୁଟବଲ, କି୍ରକେଟ, ଭଲିବଲ ପ୍ରଦାନ କରାଯାଇ ସ୍ଥାନୀୟ କମୁ୍ୟନିଟ ଗ୍ରାଉଣ୍ଡ କିମ୍ବା ନିକଟସ୍ଥ ଖେଳ ପଡ଼ିଆରେ ବିଭିନ୍ନ ସମୟରେ ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତା କରାଇବା । ବିଭିନ୍ନ ସମୟରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଲକ୍ଷ୍ୟ ନେଇ କର୍ମଶାଳାର ଆୟୋଜନ ହେବା, ନିଶା ନିବାରଣ କର୍ମଶାଳା ଭଳି ବସ୍ତିରେ ଏକାଧିକ ଆଲୋଚନାଚକ୍ର କରିବା, ଏହି ଯୋଜନାରେ ଅନ୍ତଭୁକ୍ତ ଥିଲା । ହେଲେ ଏସବୁ ଏବେ ଆଦୌ କାର୍ଯ୍ୟକାରୀ କରାଯାଉନଥିବା ଅଭିଯୋଗ ଉଠିଛି  । ପ୍ରାପ୍ତ ସୂଚନା ଅନୁସାରେ କଟକ ସହରରେ ରହିଥିବା ୨୬୪ଟି ବସ୍ତି ମଧ୍ୟରୁ ୭୦ ପ୍ରତିଶତ ବସ୍ତି ଅଞ୍ଚଳରେ ଗଞ୍ଜେଇ ତଥା ଅନ୍ୟାନ୍ୟ ନିଶାଦ୍ରବ୍ୟର କାରବାର ହେଉଛି । ଗତ ୬ ମାସ ମଧ୍ୟରେ କଟକର ବସ୍ତି ଅଞ୍ଚଳରୁ ଦେଢ଼ କୋଟିରୁ ଅଧିକ ମୂଲ୍ୟର ନିଶା ସାମଗ୍ରୀ ଜବତ ହୋଇଛି । ଦଶହରା ସମୟରେ ପୁଲିସ ପକ୍ଷରୁ ନିଶା କାରବାରକୁ ରୋକିବା ପାଇଁ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଥିଲା । ଏଥିରେ ବହୁ ପରିମାଣର ନିଶାଦ୍ରବ୍ୟ ଜବତ ହେବା ସହିତ ୨୦ଜଣ ନିଶା ବେପାରୀକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା । ତଥାପି ଏହି କାରବାରକୁ ଏଯାବତ୍ ସଂପୂର୍ଣ୍ଣ ରୋକାଯାଇ ପାରିନାହିଁ । ବିଡ଼ାନାସୀର କୁମ୍ଭାରସାହି ବସ୍ତି, ବାଉରୀସାହି ବସ୍ତି, ଧୋବାସାହି ବସ୍ତି, ହରିହରଘାଟ ବସ୍ତି, ଗୋରାକବରର ମୁସଲିମ ସାହି ବସ୍ତି, ବରହମପୁରିଆ ବସ୍ତି, ଶିକାରୀସାହି ବସ୍ତି, ଥୋରିଆସାହି ବସ୍ତି, ମାଛୁଆ ବଜାର ବସ୍ତି, ଜଗତପୁର ବାଲିସାହି ବସ୍ତି, ଇମାମନଗର ବସ୍ତି, ମାମଙ୍ଗଳା ବସ୍ତି, ଧବଳେଶ୍ୱର ଗଡ଼ା ବସ୍ତି, ନିମପୁର ବସ୍ତି, କାଠଯୋଡ଼ି ବିହାର ବସ୍ତି ଏବଂ ହଇରାଣପୁର ବସ୍ତି ଅଞ୍ଚଳ ଗୁଡ଼ିକରେ ନିଶାଦ୍ରବ୍ୟ ବେପାରୀ ଅନେକ ସମୟରେ ଆତ୍ମଗୋପନ କରୁଥିବା ଅବକାରୀ ଗୁଇନ୍ଦା ବିଭାଗ ଓ ପୁଲିସ ସୂତ୍ରରୁ ଜଣାପଡ଼ିଛି । ଅପରପକ୍ଷରେ ଜଣେ ବରିଷ୍ଠ ପୁଲିସ ଅଧିକାରୀ ଆଲୋଚନା ପ୍ରସଙ୍ଗରେ କହିଛନ୍ତି ଯେ, ପେଟ ପାଟଣା ପାଇଁ କିଏ କେଉଁଠୁ ଆସି ବସ୍ତିରେ ରହିଥାନ୍ତି । କାହାରି ମଧ୍ୟରେ ଏତେଟା ସଂପର୍କ ନିବିଡ଼ ନଥାଏ । ଯାହା ଅପରାଧ ବଢ଼ିବାର ମୂଳ କାରଣ । ଆପୋଷ ଯୋଜନା ବସ୍ତି ଅଞ୍ଚଳରେ କାର୍ଯ୍ୟକାରୀ କରାଯାଇଥିଲା । ଯାହା ମାଧ୍ୟମରେ ନିଜ ନିଜ ଭିତରେ ସୁସଂପର୍କ ବୃଦ୍ଧି କରାଯିବ ଲକ୍ଷ୍ୟ ରଖାଯାଇଥିଲା । ଯେହେତୁ ଯୋଜନାଟି କ୍ରୀଡ଼ା ବିଭାଗ, ମହାନଗର ନିଗମ ଓ ପୁଲିସ ମଧ୍ୟରେ ମିଳିତ ଭାବରେ କରାଯାଉଥିଲା । ସମନ୍ୱୟ ଅଭାବରୁ ଏହି ଯୋଜନା ଏବେ ଦିଶାହୀନ ପାଲଟିଛି ବୋଲି ଲକ୍ଷ୍ୟ କରାଯାଉଛି । ଅପର ପକ୍ଷରେ ରାଜ୍ୟରେ ସରକାର ବଦଳି ଯିବା ପରେ ଏହି ଯୋଜନାରେ ଶିଥିଳତା ଦେଖାଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।