ଶ୍ରୀମନ୍ଦିରରେ ଦେବ ଦୀପାବଳି 

ପୁରୀ: ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀରେ ଶ୍ରୀମନ୍ଦିରରେ ଦେବ ଦୀପାବଳି ପର୍ବ ପାଳନ ଆରମ୍ଭ ହୋଇଛି । ଏହି ଅବସରରେ ମହାପ୍ରଭୁ ଦଶରଥ, ନନ୍ଦ, ବସୁଦେବ, କୌଶଲ୍ୟା, ଯଶୋଦା ଓ ଦେବକୀଙ୍କ ଉଦେ୍ଦଶ୍ୟରେ ଶ୍ରାଦ୍ଧ କରିବା ସହ ଦୀପଦାନ କରିଥାନ୍ତି । କୃଷ୍ଣ ଚତୁର୍ଦ୍ଦଶୀରେ ସନ୍ଧ୍ୟା ଧୂପ ଶେଷ ହେବା ପରେ ସୁଦ୍ଧ ସୁଆର ସିଂହାସନ ତଳେ ପାଣି ପକାଇ ପୋଛା ମାରିଥିଲେ ଓ ଭଣ୍ଡାର ମେକାପ ଚାଉଳରେ ଗୋଟିଏ ଗଛ କରିଥିଲେ । ପାଳିଆ ମେକାପଙ୍କ ଦ୍ୱାରା ଦୀପମାନଙ୍କରେ ଘିଅ ଦିଆଯାଇ ବତୀ ଲଗାଯାଇଥିଲା । ୩ଟି ସୁନା ଆଳତି ରଖାଯାଇ ଚାଉଳ ଗଛଗୁଡ଼ିକୁ ସଂସ୍କାର କରାଯାଇଥିଲା । ପୂଜାପଣ୍ଡା, ପତି ଓ ମୁଦିରସ୍ତ ସିଂହାସନ ଉପରେ ବନ୍ଦାପନା କରିଥିଲେ । ୩ଟି ମହାଦୀପକୁ ଏହା ପରେ ବନ୍ଦାପନା କରାଯାଇଥିଲା । ୩ଜଣ ପାଳିଆ ପୂଜାପଣ୍ଡା ମହାଦୀପ ଧରି ଜୟବିଜୟ ଦ୍ୱାରର ଭିତର ପାଶ୍ୱର୍ରେ ଆସ୍ଥାନ ପଢିଆରୀ କରିଥିବା ଚାଉଳ ଗଛ ନିକଟକୁ ଯାଇଥିଲେ । ଜଣେ ପୂଜାପଣ୍ଡା ଚାଉଳ ଗଛଗୁଡ଼ିକୁ ସଂସ୍କାର କରି ପାଣି ଛଡାଇବା ପରେ ପାଳିଆ ଚୁନରା ସେବକଙ୍କୁ ମହାଦୀପ କଳସ ପ୍ରଦାନ କରାଯାଇଥିଲା । ଚୁନରା ସେବକ ଦୀପ, ତେଲ ଓ ଘିଅ ନେଇ ମନ୍ଦିର ଉପରକୁୁ ଯାଇଥିଲେ ଓ ତିନି ଦେଉଳ ଉପରେ ଦୀପଗୁଡିକୁ ଜଳାଯାଇଥିଲା । ପ୍ରତ୍ୟେକ ଏକାଦଶୀ ଭଳି ଚୁନରା ସେବକ ମନ୍ଦିର ଉପରେ ଚନ୍ଦ୍ର ଉଦିଆ ଜାଳି ରାଜାଙ୍କୁ ଆଶୀର୍ବାଦ କରିଥିଲେ । ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ତିଥିରେ ମଧ୍ୟ ଅବିକଳ ଏହିଭଳି ନୀତି ସଂପନ୍ନ ହୋଇଥାଏ ।