ବ୍ଲକସ୍ତରୀୟ ଶିଶୁ ମହୋତ୍ସବ

ତାଳଚେର: ତାଳଚେର ବ୍ଲକ ହେଁସମୂଳ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଓଡିଆ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ୧୧ତମ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଓଷ୍ଟା ପକ୍ଷରୁ ଆୟୋଜିତ ଏହି ଏକ ଦିବସୀୟ ଶିଶୁ ମହୋତ୍ସବରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ବେଣୁଧର ମହାରଣା ଅଧ୍ୟକ୍ଷତା କରିବା ସହ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବରେ ତାଳଚେର ବ୍ଲକ ଶିକ୍ଷାଧିକାରୀ ଖଗେଶ୍ୱର ବେହେରା ଯୋଗ ଦେଇ ଶିଶୁ ହିଁ ଦେଶର ଭବିଷ୍ୟତ ଏବଂ ଶିଶୁମାନଙ୍କ ବୌଦ୍ଧିକ ବିକାଶ ନିମନ୍ତେ ଶିଶୁ ମହୋତ୍ସବ ଏକ ପ୍ରକୃଷ୍ଟ ମଂଚ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବରେ ଓଷ୍ଟା ଜିଲ୍ଲା ସମ୍ପାଦକ ତ୍ରିଲୋଚନ ଦାସ ଯୋଗ ଦେଇ ଓଷ୍ଟା ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ହେଁସମୂଳ ସରପଞ୍ଚ ସୁଶ୍ରୀ ସୁମିତ୍ରା ସାହୁ, ଓଷ୍ଟା ତାଳଚେର ବ୍ଲକ ସମ୍ପାଦକ ଟିକନ ସାହୁ ଓ ଓଷ୍ଟାର ଅନୁଗୋଳ ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ଶ୍ରୀକାନ୍ତ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ମହୋତ୍ସବରେ  ୩୦ଟି ବିଦ୍ୟାଳୟର ୧୬୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତର୍କ, କଣ୍ଠ ସଙ୍ଗୀତ, ଚିତ୍ରାଙ୍କନ, କବିତା ଆବୃତ, ନୃତ୍ୟ, ଗଳ୍ପ ଲିଖନ, ଏକକ ଅଭିନୟ, ଏକକ ନୃତ୍ୟ, ସାଧାରଣ ଜ୍ଞାନ, କୁଇଜ୍ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉଦ୍ୟାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଏମ୍ସିଏଲ୍ ଭୁବନେଶ୍ୱରୀ କୋଇଲା ଖଣିର ପ୍ରକଳ୍ପ ଅଧିକାରୀଙ୍କ ପ୍ରତିନିଧି ଏସ୍କେ ଦେ, ସମ୍ମାନିତ ଅତିଥି ଭାବରେ ଖଣି ଅଧିକାରୀ ଆର.କେ ଦାସ, ଓଷ୍ଟା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଅକ୍ଷୟ କୁମାର ପ୍ରଧାନ, ଓଷ୍ଟା ବଅଁରପାଳ ବ୍ଲକ ସଭାପତି ବାଣୀକାନ୍ତ ନାୟକ ପ୍ରମୁଖ ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ପୁରସ୍କୃତ କରିଥିଲେ । ଉତ୍ସବକୁ ଓଷ୍ଟା ବ୍ଲକ ସହ ସମ୍ପାଦକ ବନବିହାରୀ ନାୟକ ପରିଚାଳନା କରିଥିଲେ ।