ଆଳିପିଙ୍ଗଳ ପୋଲ ମରଣଯନ୍ତା

ଜଗତସିଂହପୁର: ଜଗତସିଂହପୁରରୁ ଭୁବନେଶ୍ୱର ଓ କଟକ ସଦରକୁ ଯୋଡିବାର ଜୀବନ ରେଖା ହେଉଛି ଆଳିପିଙ୍ଗଳ ପୋଲ । ଏହି ପୋଲର  ରକ୍ଷଣାବେକ୍ଷଣ ଅଭାବରୁ ଏହା ବିପଦପୂର୍ଣ୍ଣ ପାଲଟିଛି । ଦେବୀ ନଦୀ ଉପରେ ଥିବା ଆଳିପିଙ୍ଗଳ ପୋଲ ଏବେ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି । ରକ୍ଷଣବେକ୍ଷଣ ଅଭାବରୁ ପୋଲ ସାରା ଗର୍ତ୍ତ ସୃଷ୍ଟି ହୋଇ ପଥଚାରୀଙ୍କ ଯାତାୟତ ପାଇଁ ବିପଦ ସାଜିଛି । ଦୈନିକ ଛୋଟବଡ ଦୁର୍ଘଟଣା ଘଟି ଅନେକ ଗୁରୁତର ହେଉଥିବା ବେଳେ, ପୋଲର ଉଭୟ ପାର୍ଶ୍ୱ ବ୍ୟାରିକେଡ ଭାଙ୍ଗି ଯାଇଥିବାରୁ ଲୋକେ ଏହାକୁ ଏବେ ସୁରକ୍ଷିତ ମଣୁ ନାହାନ୍ତି । କୌଣସି ମୂହୁର୍ତ୍ତରେ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ମଧ୍ୟ ଯାଇପାରେ । ଏହି ପୋଲ ଉପରେ ନିତି ତିନୋଟି ବାଲିଘାଟରୁ ଶତାଧିକ ବୋଝେଇ ଟ୍ରକ୍ ଯାତାୟତ ଯୋଗୁଁ ପୋଲଟି ଦୁର୍ବଳ ହୋଇ ପଡିଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଏ ସମ୍ପର୍କରେ ବାରମ୍ବାର ଖବର ପ୍ରକାଶନ ପରେ ମଧ୍ୟ ସମ୍ପୃକ୍ତ ବିଭାଗର ଚେତା ପଶୁନି । ଆବଶ୍ୟକତାକୁ ଅନୁଭବ କରି ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ବିଭାଗୀୟ ମନ୍ତ୍ରୀଙ୍କୁ ପତ୍ର ଲେଖି ବ୍ରିଜ୍ର ବାସ୍ତବତା ସମ୍ପର୍କରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଜଣାଇଛନ୍ତି । ଲୋକଙ୍କ ସୁରକ୍ଷା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପୁରୁଣା ବ୍ରିଜ୍ର ଉଭୟ ପାର୍ଶ୍ୱରେ ବ୍ୟାରିକେଡ ନିର୍ମାଣ ସହ ଏହାର ପାର୍ଶ୍ୱରେ ସଠିକ ଭାବେ ନିର୍ମାଣ ହେଉ ନଥିବା ଅନ୍ୟଏକ ବ୍ରିଜ୍ କାର୍ଯ୍ୟର ବୈଦ୍ଧତା ଓ ଗୁଣାବତ୍ତାକୁ ଯାଞ୍ଚ କରିବା ପାଇଁ ବିଧାୟକ ଦାସ ଦାବି କରିଛନ୍ତି । ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ସମ୍ପାଦନ କରିପାରି ନଥିବା ଠିକାଦାରଙ୍କ ଟେଣ୍ଡରକୁ ବାତିଲ କରି ନୂଆ ଟେଣ୍ଡର କରାଯିବା ପାଇଁ ବିଧାୟକ ଶ୍ରୀ ଦାସ ପତ୍ରରେ ସୂଚିତ କରିଛନ୍ତି ।