କୋଠାରୁ ଖସିପଡି ଦାଦନ ଶ୍ରମିକଙ୍କ ମୃତୁ୍ୟ
ରାଜନଗର : ରାଜନଗର ବ୍ଲକ କୁରୁଣ୍ଟି ପଞ୍ଚାୟତ ବଳରାମପୁର ଗ୍ରାମର ଅଲେଖଚନ୍ଦ୍ର ବେହେରାଙ୍କ ବଡପୁଅ ସୋମନାଥ ବେହେରା (୩୫) ସୁଦୂର ହାଇଦ୍ରାବାଦରେ ରଡ୍ ବାଇଡିଂ ଶ୍ରମିକ ଭାବେ କାମ କରୁଥିଲେ । ସୋମବାର ହାଇଦ୍ରାବାଦର ଅଲୱାଲରେ ୧୨ମହଲା କୋଠାରେ କାମ କରୁଥିଲେ । ଅସାବଧାନତା ବଶତଃ ତଳକୁ ଖସି ପଡିଥିଲେ । ସାଙ୍ଗରେ ଥିବା ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ତ୍ରିମୂଳଘେରୀ ଥାନା ପୁଲିସ ଶବକୁ ଜବତ କରିବା ସହ ଗାନ୍ଧି ହସ୍ପିଟାଲକୁ ବ୍ୟବଛେଦ ପାଇଁ ପଠାଇଥିବା ପ୍ରବାସୀ ସୂଚନା ମିଳିଛି । ମୃତ ସୋମନାଥ ଘରୁ ସାତମାସ ପୂର୍ବେ ହାଇଦ୍ରାବାଦ ଯାଇଥିଲେ । ଘରେ ତାଙ୍କର ସ୍ତ୍ରୀ ଓ ୧୨ବର୍ଷର ପୁଅ ଅଛନ୍ତି । ଶବ ଆଣିବାକୁ ଆର୍ଥିକ ସ୍ୱଛଳ ନଥିବାରୁ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି । ରାଜ୍ୟ ସରକାର ଏହି ଅଭାବୀ ପରିବାରକୁ ସହାୟତାର ହାତ ବଢାଇବାକୁ ଗ୍ରାମବାସୀମାନେ ନିବେଦନ କରିଛନ୍ତି ।