ନାବାଳିକାଙ୍କୁ ବ୍ୟଭିଚାର,ଅଭିଯୁକ୍ତକୁ ୨୦ବର୍ଷ ଜେଲ୍
ସମ୍ବଲପୁର: ସମ୍ବଲପୁର ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ଏକ ଶିଶୁ ବ୍ୟଭିଚାର ମାମଲାର ବିଚାର କରି ଏଥିରେ ଦୋଷୀ ଅଭିଯୁକ୍ତକୁ ୨୦ବର୍ଷର ସଶ୍ରମ କାରାଦଣ୍ଡ ଓ ୨୦ହଜାର ଟଙ୍କାରେ ଜରିମାନା କରିଛନ୍ତି । ୧୯ଜଣଙ୍କ ସାକ୍ଷ୍ୟ ବୟାନ ଓ ୧୮ଟି ସାକ୍ଷ୍ୟପ୍ରମାଣଙ୍କୁ ଆଧାର କରି ସ୍ୱତନ୍ତ୍ର ପୋକ୍ସୋ ବିଚାରପତି ରୋହିତଲାଲ ପଣ୍ଡା ଏହି ରାୟ ଶୁଣାଇଛନ୍ତି । ପ୍ରକାଶ ଯେ, ଜିଲ୍ଲାର ମହୁଲପାଲି ଥାନା ଅଞ୍ଚଳରେ ଏହି ଘଟଣା ସଙ୍ଗଠିତ ହୋଇଥିଲା । ବାପାମାଆ କାମ କରିବାକୁ ବାହାରକୁ ଯାଇଥିବା ବେଳେ ୫ବର୍ଷିୟା ପୀଡିତା ପଡୋଶୀ ସୁରେନ୍ଦ୍ର ବାଗଙ୍କ ଘରକୁ ଯାଇ ଅନ୍ୟ ଶିଶୁମାନଙ୍କ ସହ ଖେଳୁଥିଲେ । ଏହି ସମୟରେ ଅଭିଯୁକ୍ତ ସୁରେନ୍ଦ୍ର ନିଜର ପିଲାମାନଙ୍କୁ ଘର ବାହାରକୁ ଗାଧୋଇ ଯିବା ପାଇଁ କହି ପୀଡିତାଙ୍କୁ ଘର ଭିତରକୁ ଡାକି ନେଇଥିଲେ । ଏଥିସହ ଏକାକି ଥିବା ପୀଡିତାଙ୍କୁ ଅଭିଯୁକ୍ତ ଜଣକ ଅଶ୍ଳିଳ ଭିଡିଓ ଦେଖାଇବା ସହ ପାଶବିକ ବ୍ୟଭିଚାର କରିଥିବା ଅଭିଯୋଗ ହୋଇଥିଲା । ପରିସ୍ରାରେ କଷ୍ଟ ହେବାରୁ ପୀଡିତା ଶିଶୁକନ୍ୟା ନିଜ ମାଆଙ୍କୁ ଘଟଣା ସମ୍ପର୍କରେ କହିଥିଲେ । ପରେ ପୀଡିତାଙ୍କ ବାପାମାଆ ତାକୁ ଡାକ୍ତରଙ୍କ ପାଖକୁ ନେଇଥିଲେ । ହେଲେ ଅଭିଯୁକ୍ତ ଧମକ ଦେବାରୁ ଏମାନେ ଥାନାକୁ ନଯାଇ ଅନ୍ୟ ପରିଚିତମାନଙ୍କୁ ଘଟଣା ସମ୍ପର୍କରେ କହିଥିଲେ । ପରେ ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ଡାକ୍ତରଖାନାରେ ପୀଡିତାଙ୍କ ଚିକିତ୍ସାର କରାଇ ଅଭିଯୁକ୍ତ ସୁରେନ୍ଦ୍ରଙ୍କୁ ଗିରଫ କରିଥିଲା । ଏହାର ଶୁଣାଣୀ ସମ୍ବଲପୁର ପୋକ୍ସୋ ଫାଷ୍ଟଟ୍ରାକ୍ ସ୍ପେଶାଲ କୋର୍ଟରେ ଚାଲିଥିଲା । ଏହାକୁ ବିଚାର କରି ବିଚାରପତି ଶ୍ରୀପଣ୍ଡା ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡ ବିଧାନ କରିଛନ୍ତି । ଏହି ମାମଲାକୁ ସରକାରୀ ଓକିଲ ବସନ୍ତ କୁମାର ମିଶ୍ର ପରିଚାଳନା କରିଥିଲେ ।