ମହିଳାଙ୍କୁ ଏକ୍ସପାରି ବ୍ଲଡ୍ ଦିଆଯିବା ନେଇ ଅଭିଯୋଗ
ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ହସ୍ପିଟାଲରେ ଜଣେ ମହିଳାଙ୍କୁ ବ୍ଲଡ ଦେବା ବେଳେ ବ୍ଲଡ୍ଟି ଏକ୍ସପାରୀ ହୋଇଥିବା ଅଭିଯୋଗ ହୋଇଛି । ନୀଳଗିରି ଏନ୍ଏସି ୮ ନଂ ୱାର୍ଡର ରବୀନ୍ଦ୍ର କୁଅଁରଙ୍କ ସ୍ତ୍ରୀ ସସ୍ମିତାଙ୍କର ଗତ ସୋମବାର ସିଜରିଂ କରାଯାଇ ପ୍ରସବ କରାଯାଇଥିଲା । ଏ ନେଇ ଶୁକ୍ରବାର ଦିନ ରକ୍ତ ଦେବା ପାଇଁ ରକ୍ତର ଆବଶ୍ୟକତା ଥିଲା । ତେବେ ନୀଳଗିରି ବ୍ଲଡ୍ ବ୍ୟାଙ୍କ ପରିସରରୁ ରକ୍ତ ଆଣି ଦେବା ସମୟରେ ମହିଳାଙ୍କ ସ୍ୱାମୀ ବ୍ଲଡ୍ ପ୍ୟାକେଟରେ ରକ୍ତର ଅବଧି ସରିଯାଇଥିବା ଜାଣିବାକୁ ପାଇଥିଲେ ।
ଉକ୍ତ ବ୍ଲଡ ପ୍ୟାକେଟରେ ରକ୍ତସଂଗ୍ରହ ବେଳେ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ଏହାର ଅବଧି ଉଲ୍ଲେଖ ରହିଛି । ହେଲେ ବ୍ଲଡ ବ୍ୟାଙ୍କ ପକ୍ଷରୁ ହାତରେ ୧୪ ଡିସେମ୍ବର ୨୦୨୪ ମସିହା ଲେଖାରହିଛି । ଯାହା ସମ୍ପୂର୍ଣ୍ଣ ଅସମ୍ଭବ ବୋଲି ଜଣାପଡିବା ପରେ ଏହାକୁ ରକ୍ତଭଣ୍ଡାରରେ ଫେରାଇବା ପରେ ନୂତନ ରକ୍ତ ଦିଆଯାଇଥିଲା । ଏ ନେଇ ପୀଡିତାଙ୍କ ସ୍ୱାମୀ ଅଭିଯୋଗ ପରେ ମଧ୍ୟ ବିଭାଗୀୟ ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ତେବେ ନୀଳଗିରି ଉପଖଣ୍ଡ ମେଡ଼ିକାଲରେ ଚାଲିଛି ବଡ ଅବ୍ୟବସ୍ଥା । ଯାହା ନୀଳଗିରି ମେଡ଼ିକାଲ ବ୍ଲଡ୍ବ୍ୟାଙ୍କ କର୍ମଚାରୀଙ୍କ ଦାୟିତ୍ୱହୀନତାର ବଡ଼ ନମୁନା ଦେଖିବାକୁ ମିଳିଛି । ତେବେ ବିଭାଗୀୟ ଅଧିକାରୀ ତୁରନ୍ତ ଏହାର ସମାଧାନ ନ କଲେ କେତେବେଳେ ଯେ ଏଭଳି ରୋଗୀଙ୍କ ଜୀବନ ଯିବ ତାହା କହିବା ମୁସ୍କିଲ । ଏ ନେଇ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।