ଯୁବା ସଙ୍ଗମ କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କ ମହାରାଷ୍ଟ୍ର ଗସ୍ତ

ଯୁବା ସଙ୍ଗମ କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କ ମହାରାଷ୍ଟ୍ର ଗସ୍ତ


ଭୁବନେଶ୍ୱର: ଆଇଆଇଟି ଭୁବନେଶ୍ୱର ସମେତ ଓଡିଶାର ବିଭିନ୍ନ ଉଚ୍ଚ଼ଶିକ୍ଷା ପ୍ରତିଷ୍ଠାନରୁ ୫୦ ଜଣ ଛାତ୍ରଛାତ୍ରୀଙ୍କ ଏକ ପ୍ରତିନିଧି ଦଳ ‘ଏକ ଭାରତ ଶ୍ରେଷ୍ଠ ଭାରତ’  ଅନ୍ତର୍ଗତ ଯୁବା ସଙ୍ଗମ କାର୍ଯ୍ୟକ୍ରମ ଅଧୀନରେ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରିଛନ୍ତି । ଓଡିଶାର ନୋଡାଲ୍‌ ପ୍ରତିଷ୍ଠାନ ଆଇଆଇଟି ଭୁବନେଶ୍ୱର ହୋଇଥିବା ବେଳେ ମହାରାଷ୍ଟ୍ରର ନୋଡାଲ୍‌ ପ୍ରତିଷ୍ଠାନ ହେଉଛି ଆଇଆଇଏମ୍‌, ମୁମ୍ବାଇ । ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମାଲକର ଦ୍ୱାରା ମିଳିତ ଭାବେ ଏକ ସ୍ୱତନ୍ତ୍ର ସମାରୋହରେ ଛାତ୍ରଛାତ୍ରୀ ପ୍ରତିନିଧୀଙ୍କ ଏହି ଯାତ୍ରାର ଶୁଭାରମ୍ଭ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ରାଜେଶ ରୋଶନ ଦାଶ, ଡିନ୍‌ (ଛାତ୍ର ବ୍ୟାପାର), ବାମଦେବ ଆଚାର୍ଯ୍ୟ, ରେଜିଷ୍ଟ୍ରାର, ପ୍ରତିଷ୍ଠାନର ବରିଷ୍ଠ ଅଧ୍ୟାପକବୃନ୍ଦ ତଥା ଅନୁଷ୍ଠାନର ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରତିନିଧୀମାନେ ଆଜି ମହାରାଷ୍ଟ୍ରରେ ପହଞ୍ଚିଛନ୍ତି ଏବଂ ସେମାନଙ୍କର ଯାତ୍ରା ୩ ଡିସେମ୍ବରରେ ଶେଷ ହେବ । ସେମାନଙ୍କ ସହିତ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଏବଂ କର୍ମଚାରୀମାନେ ମଧ୍ୟ ଅଛନ୍ତି । ଏହି ଗସ୍ତ ସମୟରେ ଓଡିଶାର ଛାତ୍ରମାନେ ମହାରାଷ୍ଟ୍ରର ରାଜ୍ୟପାଳଙ୍କ ସହ ସାକ୍ଷାତ କରିବେ । ସେହିପରି ଯୁବାସଂଗମର ଅଂଶ ଭାବରେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମହାରାଷ୍ଟ୍ରରୁ ୫୦ ଜଣ ଛାତ୍ର ଛାତ୍ରୀ ମଧ୍ୟ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।