ପାଇପ ବିଛାଇବା ପାଇଁ ଖୋଳାଗଲା ରାସ୍ତା, ହେଉନି ମରାମତି
କନ୍ଧମାଳ: ଖଜୁରୀପଡ଼ା ବ୍ଲକର ଗ୍ରାମାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମେଘା ପାନୀୟ ଜଳ ପ୍ରକଳ୍ପ ଯୋଜନା କରାଯାଇଛି । ତେଣୁ ବ୍ଲକ ଅଧିନରେ ଥିବା ପଞ୍ଚାୟତ ଗୁଡିକରେ ପ୍ରକଳ୍ପ କାମ ଜାରି ରହିଛି । ଏଥିପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଉଛି । ଜିଲ୍ଲା ଗ୍ରାମ୍ୟ ଜଳ ଓ ପରିମଳ ଅଧୀନରେ କାର୍ଯ୍ୟନ୍ୱିତ ହେଉଥିବା ଏହି ଯୋଜନା କାର୍ଯ୍ୟକାରୀ କରିବା ଦାୟିତ୍ୱ ଏକ ବେସରକାରୀ ନିର୍ମାଣ ସଂସ୍ଥାକୁ ଦିଆଯାଇଛି । ଏହି ସଂସ୍ଥା ପକ୍ଷରୁ ପାନୀୟ ଜଳ ଯୋଗାଣ ପାଇଁ ଚାରିଆଡେ ପାଇପ ଲାଇନ୍ ବିଛେଇବା କାର୍ଯ୍ୟ ଆରମ୍ଭ ହୋଇଛି । ନିୟମ ଅନୁଯାୟୀ ପାଣି ପାଇପ୍ ବିଛେଇବା ପାଇଁ ରାସ୍ତାର ସୋଲ୍ଡ଼ର ତଳକୁ ଏକ ନିର୍ଦ୍ଧିଷ୍ଟ ଦୂରତା ରଖି ଖୋଳିବା ପାଇଁ ନିୟମ ରହିଛି । ଗଭୀରରେ ପାଇପ୍ ବିଛେଇବା ପରେ ମାଟିକୁ ଭଲ ଭାବରେ ପୋତିବାକୁ ନିଦେ୍ର୍ଦଶ ରହିଛି । କିନ୍ତୁ ତାହା ନ କରି କାମ କରୁଥିବା ବେସରକାରୀ ଠିକା କମ୍ପାନୀ ରାସ୍ତାର ପିଚୁକୁ ଲଗେଇ ଯେଶିବି ମେସିନ ଦ୍ୱାରା ଖୋଲି ପାଇପ ବିଛାଇବା ପରେ ଭଲ ଭାବରେ ଖୋଲା ଯାଇଥିବା ସ୍ଥାନ ପୋତୁ ନ ଥିବା ଅଭିଯୋଗ ହେଉଛି । କେନ୍ଦ୍ରା ସାହି ଏବଂ ନବ ଗୁବା ଛକରେ ଆର୍ଡି ବିଭାଗର ପିଚୁ ରାସ୍ତା ମଝିରେ ଖୋଲି ଦେଇଛି । ପାଇପ୍ ବିଛେଇବା ପରେ ପିଚୁ କିମ୍ବା କଂକ୍ରିଟ ନ ପକେଇ କାମ ଚଳା ଭାବେ ମାଟି ଘୋଡ଼େଇ ଦେଉଛି । ତେଣୁ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ସେହି ପରି ରାସ୍ତାରେ ପିଚୁକୁ ଲଗେଇ ଖୋଲିବା ପରେ ତାକୁ ଭଲ ଭାବରେ ନ ପୋତିବା ଦ୍ୱାରା ରାସ୍ତା କଡର ମାଟି ଦବି ଯାଉଛି ଏବଂ ଗର୍ତ୍ତ ସୃଷ୍ଟି ହେଉଛି । ଯାହା ଦ୍ୱାରା ବିପରୀତ ଦିଗରୁ ଗାଡ଼ି ଆସିଲେ ସାଇଟ୍ ଦେବା ବେଳେ ଦୁର୍ଘଟଣା ଘଟିବାର ଆଶଙ୍କା ରହୁଛି । କିଛି ମାସ ତଳେ ଜଣେ ବ୍ୟକ୍ତି ସ୍କୁଟିରେ ବଲସକୁମ୍ପାରୁ ଖଜୁରୀପଡ଼ାକୁ ଯାଉଥିବା ବେଳେ ରାଇଖୋଲ ବ୍ରାହ୍ମଣ ସାହିରେ ରାସ୍ତା କଡ଼ରେ ଖୋଲା ଯାଇ ହାଲକାରେ ମାଟି ପୋତା ଯାଇଥିବା ଯାଗାରେ ବିପରୀତ ଦିଗରୁ ଆସୁଥିବା ଗାଡ଼ିକୁ ସାଇଟ୍ ଦେବା ସମୟରେ ଦୁର୍ଘଟଣା ଘଟିଥିବା ନଜର କୁ ଆସିଛି । ଏମିତି ଅନେକ ସମୟରେ ବିପରୀତ ଦିଗରୁ ଆସୁଥିବା ଯାନ ବାହାନ ସାଇଟ୍ ଦେବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ଆର୍.ଡି ବିଭାଗ ଏସଡିଓ ବିଷ୍ଣୁ କେଶରୀ ଉପାଧ୍ୟାୟ ପଚାରିବାରୁ ସେ କହିଛନ୍ତି ଯେ, ଏ ସମ୍ପର୍କରେ ସଂପୃକ୍ତ ସଂସ୍ଥାକୁ ବାରମ୍ବାର ତାଗିଦ କରାଯାଇଛି । ସେମାନେ ଗୁରୁତ୍ୱ ଦେଉ ନାହାନ୍ତି । ଖୋଲା ଯାଇଥିବା ରାସ୍ତା ଉପରେ କଂକ୍ରିଟ ପକାଇବା ପାଇଁ କଥା ହେବି ବୋଲି କହିଛନ୍ତି । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଏସଡିଓ ଦେବହରି ପ୍ରଧାନଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ, ରାସ୍ତା ଖୋଲା ଯାଇଥିବା ସ୍ଥାନରେ ଶୀଘ୍ର କଂକ୍ରିଟ କରିବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।