ସରକାରୀ ଜମିରେ ଦୋକାନ ଘର ନିର୍ମାଣକୁ ନେଇ ହତ୍ୟାକାଣ୍ଡ: ପୂର୍ବତନ ସରପଞ୍ଚଙ୍କ ସମେତ ୪ ଗିରଫ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଭାପୁର ଫାଣ୍ଡି କୃଷ୍ଣପ୍ରସାଦ ଗ୍ରାମରେ ସରକାରୀ ଜମିରେ ଦୋକାନ ଘର ନିର୍ମାଣକୁ ନେଇ ହତ୍ୟାକାଣ୍ଡ । ଏଥିରେ ବାପାଙ୍କର ମୃତୁ୍ୟ ହୋଇଯାଇଥିବା ବେଳେ ପୁଅ ଗୁରୁତର ଆହାତ ହୋଇ କଟକରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାରେ ପୁଲିସ ସ୍ଥାନୀୟ ଅଞ୍ଚଳର ପୂର୍ବତନ ସରପଞ୍ଚଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି । ଏବଂ ଘଟଣାରେ ସଂପୃକ୍ତ ଅନ୍ୟ ୩ ଜଣ ଫେରାର ହୋଇ ଯାଇଥିବା ଜଣାପଡିଛି ।
ଘଟଣାରୁ ପ୍ରକାଶ ଯେ, ଭାପୁର ଫାଣ୍ଡି ଧୀରପାଟଣା ପଞ୍ଚାୟତ କୃଷ୍ଣପ୍ରସାଦ ଗ୍ରାମ ଛକ ଠାରେ ଥିବା ସରକାରୀ ଜମିରେ ଦୋକାନ କରିବାକୁ ନେଇ ଚତୁର୍ଭୁଜ ଜେନା ଏବଂ ପୂର୍ବତନ ସରଂପଚଙ୍କ ଗଦାଧର ଜେନାଙ୍କ ପରିବାର ମଧ୍ୟରେ ଦୀର୍ଘଦିନ ହେବ ଶତ୍ରୁତା ଲାଗି ରହିଥିଲା । ଗତ ରବିବାର ସକାଳେ ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ଝଗଡା ଲାଗିଥିଲା । ଅପରାହ୍ନରେ ଚତୁର୍ଭୁଜ ଏବଂ ତାଙ୍କ ପୁଅ ଓମ୍ପ୍ରକାଶ ନିଜ ଜମିରେ ଆଳୁ ଲଗାଉଥିବାବେଳେ ଗଦାଧର ଏବଂ ଅନ୍ୟ କେତେକ ସଂଘବଦ୍ଧଭାବେ ଉଭୟ ବାପପୁଅଙ୍କୁ ଆକ୍ରମଣ କରିଥିଲେ । ସେମାନଙ୍କ ଚିକ୍ରାର ଶୁଣି ଗ୍ରାମବାସୀମାନେ ଆସିଯିବାରୁ ଆକ୍ରମଣକାରୀ ମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଚତୁର୍ଭୁଜଜଙ୍କର ଘଟଣାସ୍ଥଳରେ ମୃତୁ୍ୟ ହୋଇଥିବାବେଳେ ଓମ୍ପ୍ରକାଶଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀମାନେ ପ୍ରଥମେ ଢେଙ୍କାନାଳ ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ହତ୍ୟାକାଣ୍ଡକୁ ନେଇ ଗତକାଲି ଠାରୁ ଗ୍ରାମରେ ଉତେଜନା ଲାଗି ରହିଛି । ମୁଖ୍ୟ ଅଭିଯୁକ୍ତ ପୂର୍ବତନ ସରପଞ୍ଚ ଗଦାଧର ଜେନା ଲୁଚି ପଳାଉଥିବାବେଳେ ପୁଲିସ୍ ରାତିରେ ତାକୁ ପ୍ରଥମେ ମାଡି ବସିଥିଲା । ପରେ ଆଉ ୩ ଜଣଙ୍କୁ ଗିରଫ କରିଛି । ଏହି ସଂପର୍କରେ ପୁଲିସରେ ୯୩୯/୨୪ରେ ଏକ ମାମଲା ରୁଜୁ କରାଯାଇଛି । ଘଟଣାସ୍ଥାଳରୁ ଟାଙ୍ଗିଆ, ଠେଙ୍ଗା, ବର୍ଚ୍ଚା ଆଦି ହତିଆର ପୁଲିସ୍ ଜବତ କରିଛି । ପୁଲିସ୍ ବିଭିନ୍ନ ଜାଗାରେ ଚଢାଉ କରି ଜିତେନ୍ଦ୍ର ଜେନା, କାଳିଆ ପୁହାଣ, ଅଶୋକ ପୁହାଣଙ୍କୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ କୃଷ୍ଣପ୍ରସାଦ ଗ୍ରାମର । ତେବେ ଏହି ଘଟଣାରେ ସଂପୃକ୍ତ ଝୁମ୍ପୁଡିଆ ଗ୍ରାମର ୪ ଜଣ ଅଭିଯୁକ୍ତ ଫେରାର ରହିଥିବା ଜଣାଯାଇଛି । ସେମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ୍ ପକ୍ଷରୁ ସୂଚନା ମିଳିଛି ।