ମାଳମାଳ ବେଆଇନ ଇଟାଭାଟି, ଚଢ଼ାଉ ନାମକୁ ମାତ୍ର
ନୀଳଗିରି : ସମ୍ପ୍ରତି ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଞ୍ଚଳରେ ବେଆଇନ ଇଟାଭାଟିର ସଂଖ୍ୟା ବୃଦ୍ଧି ହେଉଥିବା ଦେଖିବାକୁ ମିଳିଛି । ସଂଖ୍ୟାତ୍ମକ ଇଟାଭାଟିର ଅବସ୍ଥିତି ସମ୍ପର୍କରେ କିମ୍ବା ସେମାନଙ୍କୁ ଏନଓସି ମିଳିନଥିଲେ ହେଁ ପ୍ରଶାସନକୁ ଚ୍ୟାଲେଞ୍ଜ କରି ଏହି ଇଟାଭାଟି ଗଢ଼ା ଯାଉଥିବା ଅଭିଯୋଗ ହୋଇଛି । ଯାହାଦ୍ୱାରା ଅଞ୍ଚଳବାସୀ ପ୍ରଦୂଷଣରେ ବେଶ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି । ବିଶେଷକରି ନୀଳଗିରି ବ୍ଲକ ଅଧୀନ ସଜନାଗଡ଼, ମିତ୍ରପୁର, କାଂଶ, ଅଯୋଦ୍ଧା, ଛତ୍ରପୁର, ବରହମପୁର ପ୍ରଭୃତି ଆରଆଇ ସର୍କଲ ଅଧୀନରେ ଏହି ବେଆଇନ ଇଟାଭାଟି ଗଢ଼ି ଉଠିଛି ।
ତେବେ ଏହି ଇଟାଭାଟି ଗଢ଼ିବା ରାଜସ୍ୱ ବିଭାଗର ତଞ୍ଚକତା ନା ଅପାରଗତା ସେନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ସର୍ବସାଧାରଣ ସ୍ଥାନ, ଗୋଚର, ରାସ୍ତା ଓ ସ୍କୁଲ ପାର୍ଶ୍ୱରେ ଏହି ଭାଟିମାନ ଗଢ଼ି ଉଠିଥିବା ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ହେଁ ପ୍ରଶାସନ ସବୁ ଜାଣି କିଛି ନଜାଣିବା ପରି ଅଭିନୟ କରୁଥିବା ଅଭିଯୋଗ ଉଠିଛି । ସେହିପରି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ, ଲୋକ ଦେଖାଣିଆଭାବେ ରାଜସ୍ୱ ବିଭାଗ ପକ୍ଷରୁ ତଞ୍ଚକତା କରାଯାଇ ଉକ୍ତ ଭାଟିଗୁଡିକରେ ଜୋରିମାନା ଆଦାୟ କରାଯାଉଥିବା ଜଣାଯାଇଛି । ଭାଟି ମାଲିକ ଗୋଟିଏ ରାଉଣ୍ଡରେ ୫୦ଲକ୍ଷରୁ ଅଧିକ ଇଟା ବ୍ୟବସାୟ କରୁଥିବା ବେଳେ ରାଜସ୍ୱ ବିଭାଗ ପକ୍ଷରୁ ତାଙ୍କୁ ମାତ୍ର ୫୦ହଜାରରୁ ଲକ୍ଷେ ଟଙ୍କା ଜୋରିମାନା କରାଯାଉଥିବା ଚର୍ଚ୍ଚା ହେଉଛି । ସମୂଦ୍ରକୁ ଶଙ୍ଖେ ଭଳି ଜରିମାନା ହେଉଥିବା ଯୋଗୁ ଭାଟିମାଲିକ ମାଲେମାଲ ହେଉଥିବା ବେଳେ ଅଞ୍ଚଳବାସୀ କିନ୍ତୁ ଧୂଳି ଧୂଆଁରେ ପ୍ରଦୂଷିତ ହୋଇ ଚାଲିଛନ୍ତି । ଏହି ବେଆଇନ ଇଟାଭାଟି ଗଢ଼ିବା ପଛରେ କାହାର ହାତ ରହିଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର ନାଲିଇଟା ବଦଳରେ କଳାଇଟାକୁ ଗୁରୁତ୍ୱ ଦେଇ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଲଗାଉଥିଲେ ହେଁ ନାଲି ଇଟାଭାଟିର କିନ୍ତୁ ସଂଖ୍ୟା ବୃଦ୍ଧି ହୋଇଚାଲିଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ନୀଳଗିରି ଉପଖଣ୍ଡର ପରିବେଶକୁ ଅକ୍ଷୁର୍ଣ୍ଣ ରଖିବାକୁ ହେଲେ ଜିଲ୍ଲାପାଳ ଏକ ସ୍ୱତନ୍ତ୍ର ସ୍କାଡ୍ ଗଠନ କରି ଚଢ଼ଉ କରିବା ସହ ଏହି ବେଆଇନ ଇଟାଭାଟିକୁ ବନ୍ଦ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।