ବିଧାନସଭାରେ ୱାଲଟିୟର :ତାତି ମୁହାଁମୁହିଁ ହେଲେ ବିଜେଡ଼ି ଓ ବିଜେପି
ଭୁବନେଶ୍ୱର: ଶୀତ ଅଧିବେଶନର ଶେଷ ଦିନରେ ଗୃହରେ ୱାଲଟିୟର ତାତି ପରିଲକ୍ଷିତ ହୋଇଛି । ପୂର୍ବତଟ ରେଳବାଇରୁ ୱାଲ୍ଟିୟର ଡିଭିଜନ ଅଲଗା କରିବା ପ୍ରସ୍ତାବକୁ ବିଜେଡ଼ି ବିରୋଧ କରିଥିବାବେଳେ ଓଡ଼ିଶାରୁ ଇଞ୍ଚେ ରେଳ ଲାଇନ୍ ଅନ୍ୟ ଡିଭିଜନରେ ମିଶିବ ନାହିଁ ବୋଲି ବିଜେପି କହିଛି । ବରଂ ପ୍ରସ୍ତାବିତ ରାୟଗଡ଼ା ଡିଭିଜନ ଦ୍ୱାରା ଓଡ଼ିଶା ପୂର୍ବାପେକ୍ଷା ଅଧିକ ରାଜସ୍ୱ ପାଇପାରିବ ।
ଶୂନ୍ୟକାଳରେ ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଥମେ ଏହି ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ୍ କରିଥିଲେ । ସେ କହିଥିଲେଯେ, ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ପୂର୍ବତଟ ରେଳପଥ ଓଡିଶାରେ ପ୍ରତିଷ୍ଠା କରାଯାଇଥିଲା । ଜାନକୀବାବୁଙ୍କର ବି ଉଦ୍ୟମ ରହିଥିଲା । ୱାଲ୍ଟିୟର ଡିଭିଜନ୍ ହେଉଛି ଇଷ୍ଟକୋଷ୍ଟର ମୁଖ୍ୟ ଅଂଶ । ଏହାକୁ ସାଉଥ୍ କୋଷ୍ଟ ରେଲୱେ ସହ ମିଶାଇବାକୁ ଷଡଯନ୍ତ୍ର ଚାଲିଛି । ଫଳରେ ଓଡିଶା ୨୦ ହଜାର କୋଟି ଟଙ୍କାର କ୍ଷତି ସହିବ । ଓଡିଶା ବିରୋଧରେ ଷଡଯନ୍ତ୍ରକୁ ଆମେ ବରଦାସ୍ତ କରିବୁନି ବୋଲି ସେ କହିଥିଲେ । ଅନରୂପ ଭାବେ ବିଧାୟକ ଗଣେଶ୍ୱର ବେହେରା ବି ଟାର୍ଗେଟ୍ କରିଥିଲେ ।
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଲେ, ୱାଲ୍ଟିୟର ଡିଭିଜନକୁ କାଢ଼ି ନେଲେ ରାଜ୍ୟର କ୍ଷତି ହେବ । ବିଜେପି ସରକାର ଓଡିଶାର ଖଣି, ପାଣି ଲୁଣ୍ଠନ କରିବାକୁ ଯୋଜନା କରିଛି । କଂଗ୍ରେସ ବିଧାୟିକା ସୋଫିଆ ଫିଦେ୍ର୍ଦାସ ମଧ୍ୟ ବିଜେପିକୁ ସମାଲୋଚନା କରିଥିଲେ ।
ଏହି ସମୟରେ ଗୃହରେ ଉପସ୍ଥିତ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କାଉଣ୍ଟର ଆଟାକ୍ କରିଥିଲେ । ସିଧାସିଧା କହିଥିଲେ, ଓଡିଶାରୁ ଗୋଟିଏ ଇଞ୍ଚ ବି ରେଳ ଲାଇନ୍ ଅନ୍ୟ ଆଡକୁ ଯିବନି । ପୂର୍ବତଟ ରେଳପଥ ଅଧୀନରେ ତିନିଟି ଯାକ ଡିଭିଜନ୍ ରହିବା ସହ ରାୟଗଡା ଡିଭିଜନ୍ ପାଇଁ ୧୦୭ କୋଟି ଟଙ୍କାର ଟେଣ୍ଡର୍ ଡକାସରିଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଅନୁରୂପ କଥା କହିଥିଲେ । ଶାସକ ଦଳ ବିଧାୟକ ସର୍ବଶ୍ରୀ ଟଙ୍କଧର ତ୍ରିପାଠୀ, ଅମରେନ୍ଦ୍ର ଦାସ ଓ ସିଦ୍ଧାନ୍ତ ମହାପାତ୍ର ରେଳବାଇର ବିକାଶରେ ମୋଦି ସରକାରଙ୍କ ଭୂମିକା ଉପରେ ପ୍ରକାଶ କରିଥିଲେ ।