ଧାନମଣ୍ଡି ପରିଚାଳନା କର୍ମଶାଳା
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଧାନମଣ୍ଡି ଓ ଧାନ କିଣା କାରବାରରେ ସ୍ୱଚ୍ଛତା ପାଇଁ ଏକ ପରିଚାଳନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ସହଦେବ ପୃଷ୍ଠିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଧାନ କିଣା କାରବାରରେ ସ୍ୱଚ୍ଛତାର ସହିତ ହେବା ସହିତ କଟନି ଛଟନି ବନ୍ଦ କରିବା ଓ ମିଲର ମାନଙ୍କର ଦାଦାଗିରିକୁ ଦୃଢତାର ସହିତ ବନ୍ଦ କରାଯିବ ବୋଲି କହିଥିଲେ । ଜିଲ୍ଲାରେ ଖରିଫ୍ ଧାନ ସଂଗ୍ରହ କିଣା କାରବାର ଜାନୁଆରୀ ୮ ତାରିଖ ଠାରୁ ଆରମ୍ଭ ହେବ । ଢେଙ୍କାନାଳ ଜିଲ୍ଲାରେ ୯୨ଟି ଧାନମଣ୍ଡି ଦ୍ୱାରା ଧାନ କିଣା କାରବାରରେ ସ୍ୱଚ୍ଛତାର ସହିତ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ସାହୁ କହିଥିଲେ । ଢେଙ୍କାନାଳ ଜିଲ୍ଲାର ସମସ୍ତ ଧାନମଣ୍ଡିରେ କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ଜଗିବା ସହିତ ତଦାରଖ କରିବେ ବୋଲି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ବିଜେପି ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ଆଠମଲ୍ଲିକ ବିଧାୟିକା ସୀମା ନାୟକ, ବରିଷ୍ଠ ବିଜେପି ନେତା ପ୍ରେମନନ୍ଦ ଜେନା, ବିଜେପି କୃଷକ ରାଜ୍ୟ ଉପସଭାପତି ପୁଲିନ୍ ପ୍ରକାଶ ପୁହାଣ, ଜିଲ୍ଲା ପଛୁଆବର୍ଗ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ କୁମାର ସାହୁ ଓ ଗୌତମ ରାଉତ, ଜିଲ୍ଲା ଉପସଭାପତି ରବିନ୍ ବାରିକ, ଅଶୋକ କୁମାର ରାଉତ, ନରେନ୍ଦ୍ର ମହାନ୍ତ, ମୀନ କେତନ ନାୟକ, କ୍ଷମାନିଧି ସାହୁ, ପ୍ରସାଦ ସେଠୀ, ବିଷ୍ନୁ ସାହୁ, ସରୋଜ କାନ୍ତ ବେହେରା, ସୁଜନ ବିଶ୍ୱାଳ ପ୍ରମୁଖଙ୍କ ସମେତ ଶତାଧିକ ଚାଷୀ ସାମିଲ ହୋଇଥିଲେ ।