ସୀମାନ୍ତରେ ୫ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି: ମାଲକାନଗିରି ଜିଲ୍ଲା ଛତିଶଗଡ ନିକଟରେ ସରକାରଙ୍କ ଆତ୍ମସମର୍ପଣ ନୀତିରେ ପ୍ରଭାବିତ ହୋଇ ମାଓ ସଂଗଠନରେ ସକ୍ରିୟ ପାଞ୍ଚ ଜଣ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସୂଚନା ଅନୁଯାଇ ଛତିଶଗଡର ସୁକମା ଜିଲ୍ଲାର ସମ୍ବେଦନଶୀଳ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଲଗାତାର ସର୍ଚ୍ଚ ଅପେରସନ ଏବଂ ମାଓ ପ୍ରଭାବିତ ଅଂଚଳରେ ସୁରକ୍ଷାକର୍ମୀଙ୍କ କ୍ୟାମ୍ପ ସ୍ଥାପିତ ହେବା ଯୋଗୁଁ ମାଓ ସଂଗଠନରେ ସକ୍ରିୟ ମାଓବାଦୀମାନେ ନିଜ ଜୀବନ ବଞ୍ଚାଇବା ପାଇଁ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେହିଭଳି ପାଞ୍ଚ ଜଣ ମାଓବାଦୀ ବିନା ଅସ୍ତ୍ର ଶସ୍ତ୍ରରେ ଗ୍ରାମବାସୀ ଭେଷଭୁଷାରେ ସୁକମା ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ସୁକମା ପୁଲିସ ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ମାଡ଼ବି ରାଜୁ, ଦେବା ମାଡ଼ବି, ସୁନ୍ନମ ଭେଙ୍କଟସ, କୱାସୀ ହିଡ଼ମା, ସୋଡି ଗଙ୍ଗା । ପାଞ୍ଚ ଜଣ ଆତ୍ମସମର୍ପଣ କରିଥିବା ମାଓବାଦୀ ମାଓ ସଂଗଠନର ଅମାନବୀୟ, ଭିତ୍ତିହୀନ ଚିନ୍ତାଧାରା ସହ ବଡ଼ ମାଓନେତା ସେମାନଙ୍କ ଶୋଷଣ, ଅତ୍ୟାଚାର, ଭେଦଭାବ କରୁଥିବାରୁ ସେମାନେ ଆତ୍ମସମର୍ପଣ କରିଛନ୍ତି ବୋଲି ସୁକମା ଜିଲ୍ଲା ଇନ୍ସପେକ୍ଟର ନକ୍ସଲ ସେଲର ରୋଶନ ସିଂ ରାଜପୁତ କହିଛନ୍ତି । ଏହା ସହ ଏହି ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ଛତିଶଗଡର ନକ୍ସଲବାଦ ବିଲୋପ ଏବଂ ପୁନର୍ବାସ ନୀତି ଅଧୀନରେ ସହାୟତା ଏବଂ ଅନ୍ୟାନ୍ୟ ସମସ୍ତ ସୁବିଧା ଯୋଗାଇ ଦିଆଯିବା ନେଇ ସୁକମା ପୁଲିସ ପକ୍ଷରୁ କୁହାଯାଇଛି ।