ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ଯୁଗାନ୍ତକାରୀ ନିଷ୍ପତ୍ତି: ବିଧାୟକ
ନବରଙ୍ଗପୁର : ରାଜ୍ୟ ବିଜେପି ସରକାର ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନ ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ଏହାଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କର ନିଦେ୍ର୍ଦଶରେ ଗଠିତ ଟାସ୍କ ଫୋର୍ସ ଆସନ୍ତା ଅଳ୍ପ ଦିନ ମଧ୍ୟରେ ପୂର୍ଣ୍ଣାଙ୍ଗ ଓ ଚୁଡାନ୍ତ ରିପୋର୍ଟ ରାଜ୍ୟ ସରକାର ଙ୍କୁ ପ୍ରଦାନ କରିବ । ଏହିପରିଷଦ ଦ୍ୱାରା ସବୁ କ୍ଷେତ୍ରରେ ଅବହେଳିତ ଓ ପଛୁଆ ରହିଥିବା ଦକ୍ଷିଣ ଓଡିଶାର ସର୍ବାଙ୍ଗୀନ ବିକାଶ ହେବ । ଏହି ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ,ଗମନାଗମନ, ଜଳସେଚନ, ପରିବହନ, କୃଷି, ଶିଳ୍ପ, ପର୍ଯ୍ୟଟନ ର ବିଶେଷ ଉନ୍ନତି ହୋଇପାରିବ । ଏହା ସହିତ ଏହି ଦକ୍ଷିଣ ଓଡିଶାର ଭାଷା, ସାହିତ୍ୟ, କଳା, ସଂସ୍କୃତି, ପରମ୍ପରାର ସୁରକ୍ଷା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇପାରିବ । ଏହି ଅଞ୍ଚଳର ଖଣିଜ ସଂପଦର ସଦୁପଯୋଗ ହେବ । ଏହି ପରିଷଦରେ ନବରଙ୍ଗପୁର ଜିଲ୍ଲାର ଦୁଇଜଣ ପ୍ରତିନିଧିଙ୍କୁ ସାମିଲ କରାଯାଇଛି । ପରିଷଦର ଅଧ୍ୟକ୍ଷ ଭାବରେ ରାଜ୍ୟର କ୍ୟାବିନେଟ ମନ୍ତ୍ରୀ ତଥା ଉମରକୋଟ ର ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଓ ସଦସ୍ୟ ଭାବରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କୁ ନିଯୁକ୍ତି ଦିଆଯିବା ସବୁଠାରୁ ଉଲ୍ଲେଖନୀୟ ବିଷୟ । ଏଥିପାଇଁ ଶ୍ରୀ ମାଝି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।