ଜିଲ୍ଲାସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ

 କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪ ଇଛାପୁର ହାଇସ୍କୁଲ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛୁି । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ କୁନି ବୈଜ୍ଞାନିକ ମାନଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଜଝାଙ୍ଗ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ଼ଃ ଅରବିନ୍ଦ ଦାସ ମୁଖ୍ୟ ବକ୍ତାଭାବେ ଯୋଗ ଦେଇଥିଲେ  ।ଏହି ପ୍ରଦର୍ଶନୀରେ ୯ଟି ବ୍ଲକର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା କରାଯାଇ ଥିବା ୬୩ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ସେଥିରୁ ଶ୍ରେଷ୍ଠ ବିବେଚିତ ୭ ପ୍ରକଳ୍ପ ରାଜ୍ୟ ସ୍ତରୀୟ ପ୍ରଦର୍ଶନୀ ପାଇଁ ମନୋନିତ କରାଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିଶିଥ ବାରିକ ବାର୍ଷିକ ବିଜ୍ଞାନ ପ୍ରକଳ୍ପ ସମ୍ବନ୍ଧୀୟ ରିପୋର୍ଟ ଉପସ୍ଥାପନ କରିଥିଲେ । ଗରଦପୁର ଶିକ୍ଷା ଅଧିକାରୀ ଅଜୟ କୁମାର ସେଠୀ, ମହାକାଳପଡା ଶିକ୍ଷା ଅଧିକାରୀ ତନ୍ମୟ ବେହେରା, କେନ୍ଦ୍ରାପଡାର କୈଳାସ ତରାଇ, ଆଳିର ନଳିନୀକାନ୍ତ ରାଉତରାୟ ପ୍ରମୁଖ ମଂଚାସୀନ ଥିଲେ । ବ୍ଲକ ବିଜ୍ଞାନ ସଂଯୋଜକ ପ୍ରଭାସ ରଂଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉଦ୍ୟାପନୀ ସଭାରେ ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରିଥିଲେ । କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ବିଶ୍ୱ ରଂଜନ ପୁହାଣ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଉସôାହିତ କରିଥିଲେ । ଶିଳିପୁର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ରଂଜନ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରେରଣା କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଜିଲ୍ଲାରୁ ପ୍ରତିନିଧିତ୍ୱ କରି ଗୁଜୁରାଟ ଠାରେ ଅନୁଷ୍ଠିତ ଜାତୀୟ ସ୍ତରରେ କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ରୁଦ୍ର ନାରାୟଣ ସାହୁ ଓ ଗାୟତ୍ରୀ ନାଥ ତଥା ମାର୍ଗଦର୍ଶକ ଶିକ୍ଷୟିତ୍ରୀ ଅପରାଜିତା ପାତ୍ରଙ୍କୁ ଏହି ଅବସରରେ ସମ୍ବର୍ନ୍ଧିତ କରାଯାଇ ଥିଲା ।