ଭୁବନେଶ୍ବର: ଚଳିତ ଖରିଫ ଋତୁରେ ଧାନ ବିକ୍ରୟ ନିମନ୍ତେ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ଚାଷୀ ମାନେ ପଞ୍ଜିକରଣ ଠାରୁ ଆରମ୍ଭ କରି ଟୋକନ ପାଇବା, ଧାନର ମାନ ଓ ଧାନ ବିକ୍ରୟ, ସର୍ବନିମ୍ନ ସାଧାରଣ ମୂଲ୍ୟ ପାଇବା ଆଦି ସମ୍ପର୍କରେ ତୃଣମୂଳ ସ୍ତରରେ ସଚେତନତା ସୃଷ୍ଟି କରାଯାଉଛି । ରାଜ୍ୟର ସମସ୍ତ ବ୍ଲକ ଓ ଜିଲ୍ଲା ସ୍ତରରେ ସଚେତନତା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ସଚେତନତା ସୃଷ୍ଟି ପାଇଁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟରେ ହୋଡିଂ ଲଗାଯାଇ ଚାଷୀ ମାନଙ୍କ ଉନ୍ନତି ପାଇଁ ସରକାର ନେଇଥିବା ବିଭିନ୍ନ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବାର୍ତ୍ତା ଦିଆଯାଉଛି । ଏପରିକି ମଣ୍ଡି ଗୁଡିକରେ ମଧ୍ୟ ପୋଷ୍ଟର ଓ ଫ୍ଲେକ୍ସ ଦ୍ୱାରା ଚାଷୀ ମାନଙ୍କୁ ଧାନ ବିକ୍ରି ସଂକ୍ରାନ୍ତୀୟ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ କରାଯାଉଛି । ଧାନ ବିକ୍ରୟ ନୀୟମ ଓ ଅଭିଯୋଗ କରିବାର ମାଧ୍ୟମ ସମ୍ପର୍କରେ ପତ୍ରିକା ଦ୍ୱାରା ସୂଚନା ଦିଆଯାଉଛି । ଏତଦବ୍ୟତୀତ ସମ୍ପୃକ୍ତ ଜିଲ୍ଲାରେ ଅନୁଷ୍ଠିତ ପର୍ବପର୍ବାଣି ଓ ଉତ୍ସବ ସମୟରେ ମଧ୍ୟ କୃଷକ ମାନଙ୍କୁ ସଚେତନତା କରାଯାଉଛି । ବିଭିନ୍ନ ଅଡିଓ ଓ ଭିଡିଓ ଭ୍ୟାନ ମାଧ୍ୟମରେ ସେହି ଜିଲ୍ଲାରେ ଧାନ କିଣା ନିମନ୍ତେ ନିର୍ଦ୍ଧାରିତ ତାରିଖ ଓ ପ୍ରକ୍ରିୟା ସମ୍ପର୍କରେ ସୂଚନା ପ୍ରଦାନ କରାଯଉଛି । ଏପରିକି ପାଲା, ଦାସକାଠିଆ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ଧାନକିଣା ବାର୍ତ୍ତା ଦିଆଯାଉଛି । କ୍ଷେତ୍ର ସ୍ତରୀୟ ଅଧିକାରୀ ମାନେ ବିଭିନ୍ନ ପଞ୍ଚାୟତ ବୁଲି ଚାଷୀ ମାନଙ୍କୁ ଧାନ କିଣା ଉପରେ ଅବଗତି କରାଉଛନ୍ତି । ଏପରିକି ବିଭିନ୍ନ ଟେଲିଭିଜନ ଓ ରେଡ଼ିଓ ଗଣମାଧ୍ୟମରେ ଜନହିତରେ କୃଷକ ତଥା ଜନସାଧାରଣଙ୍କୁ ସଚେତନତା କରାଯାଉଛି ।