ସହରରେ ବଢୁଛି  ଲୁଟପାଟ୍

ସହରରେ ବଢୁଛି  ଲୁଟପାଟ୍

ତାଳଚେର: ତାଳଚେର ଅଞ୍ଚଳରେ ଲୁଟପାଟ୍ ଥମିବାରେ ନାଁ ନେଉନାହିଁ । ସତେ ଯେପରି ପୁଲିସକୁ ଖୋଲମଖୁଲା ଚ୍ୟାଲେଞ୍ଜ ଦେଇ ଗୋଟାଏ ପରେ ଗୋଟାଏ ଡ଼କାୟତ ଘଟି ଚଲାଇଥିବା ଜଣାଯାଇଛି ।  ଯାହାକୁ ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇବା ସହ ଆଇନଶୃଙ୍ଖଳା ପୁରା ବିପର୍ଯ୍ୟସ୍ତ ହୋଇ ପଡିଛି । ପ୍ରକାଶ ଯେ, ତାଳଚେର ବାଘୁଆବୋଲ ଗ୍ରାମର ଇଶ୍ୱର ମହାପାତ୍ରଙ୍କ ଘରେ କେହିନଥିବା ସମୟରେ ୩ଜଣ ଦୁର୍ବୃତ୍ତ କଳାକନା ବୁଲାଇ ଦେଇଛନ୍ତି । ଜଣକୁ ସ୍ଥାନୀୟ ଲୋକ କାବୁ କରି ପୁଲିସ ଜିମା ଦେଇଥିବାବେଳେ ଘଟଣାକୁ ନେଇ ପୁଲିସ୍ ଛାନଭିନ୍ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଇଶ୍ୱରଙ୍କ ପରିବାର ଲୋକେ ଘରେ ତାଲା ପକାଇ ମାର୍କେଟକୁ ଯାଇଥିଲେ । କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଭିତରକୁ ପଶିଥିଲେ । ଝିଅର ବାହାଘର ପାଇଁ ଆଲମିରା ରଖିଥିବା ୮ଭରିର ସୁନାଗହଣା ଦୁର୍ବୃତ୍ତମାନେ ନେଇ ପଳାଇଯିବା ସମୟରେ ଶଦ୍ଦ ଶୁଣି ପଡ଼ୋଶୀ ଘଟଣାସ୍ଥଳକୁ ଦୌଡ଼ି ଆସି ସେଥିମଧ୍ୟରୁ ଜଣକୁ କାବୁ କରିବାରେ ସଫଳ ହୋଇଥିଲେ । ପରିବାର ଲୋକେ ଫେରିବା ପରେ ଘରର ତାଲା ଭାଙ୍ଗିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ପରେ ଘର ଭିତରକୁ ଯାଇ ଦେଖନ୍ତି ତ ଆଲମାରି ଭାଙ୍ଗି ଦୁବୃର୍ତ୍ତମାନେ ସେଥିରେ ସୁନା, ଗହଣା ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି ।  ସେହିପରି ବାଇପାସ୍ ଛକ ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଗ୍ୟାରେଜରେ ଟ୍ରକ ଚାଳକ ଗାଡ଼ିକୁ ରଖି ବସଷ୍ଟାଣ୍ଡ ନିକଟରେ ଥିବା ତାଙ୍କ ଘରକୁ ଯାଇଥିଲେ । ଘରୁ ଗାଡ଼ି ପାଖକୁ ଆସିବା ବେଳେ ମୁଖାପିନ୍ଧି ମାରଣାସ୍ତ୍ର ଧରି ୪ ରୁ ୫ ଯୁବକଜଣ ତାଙ୍କୁ ଆକ୍ରମଣ କରିବା ସହିତ ତାଙ୍କ ନିକଟରେ ରହିଥିବା ସ୍ମାର୍ଟଫୋନ୍ ଓ ୧୨ହଜାର ୫ଶହ ଟଙ୍କା ନେଇ ଆଖି ପିଛୁଳାକେ ଛୁ’ ମାରିଥିଲେ । ସେ କୌଣସି ଉପାୟ ନ ପାଇ ତାଳଚେର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।  ଟ୍ରକ ଚାଳକ ଜଣଙ୍କ ସଞ୍ଜୟ ରାଓ (୪୭) । ସେ ତାଳଚେରରେ ରହି କୋଇଲା ଟ୍ରକ ଚଳାଇ ପରିବାର ପ୍ରତିପୋଣ କରୁଛନ୍ତି ।