ପାଣ୍ଡିଆନ୍ଙ୍କୁ ଧୋକା ଦେବେକି ମାନସ ?
manas mangaraj bjd
ଭୁବନେଶ୍ୱର : ସୁଜିତ୍ କୁମାର ଓ ମମତା ମହନ୍ତଙ୍କ ପରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ବି ବିଜେଡ଼ି ଛାଡ଼ିବାକୁ ସଜବାଜ ହେଉଛନ୍ତି । ନୂଆଦିଲ୍ଳୀ ରାଜନୀତିକ ଅଳିନ୍ଦରେ ଏବେ ଏଭଳି ଚର୍ଚ୍ଚା ଜୋର ଧରିଛି । ଡିଏସ କୁଟ୍ଟେଙ୍କୁ ଭଲ ପଦବୀରେ ଥଇଥାନ କଲେ ସେ ବି ଅନ୍ୟମାନଙ୍କ ଭଳି ବିଜେପି ଯିବାକୁ ପ୍ରସ୍ତୁତ ବୋଲି ଜାଣିବାକୁ ମିଳିଛି । ନୂଆଦିଲ୍ଲୀ ରାଜନୀତିକ ଅଳିନ୍ଦରେ ଏଭଳି ଚର୍ଚ୍ଚା ଏବେ ବିଜେଡ଼ିରେ କମ୍ପନ ସୃଷ୍ଟିକରିଛି ।
ନିଜ ରାଜନୀତିକ ଓ ବ୍ୟବସାୟିକ ଗୁରୁ ଡିଏସ କୁଟ୍ଟେଙ୍କ ପାଇଁ ସେ ନବୀନବାବୁଙ୍କୁ ବି ଧୋକା ଦେବାକୁ ପ୍ରସ୍ତୁତ ବୋଲି କହିବୁଲୁଛନ୍ତି । କୁଟ୍ଟେଙ୍କୁ ଏବେ ପନିସମେଣ୍ଟ ପୋଷ୍ଟିଂ ମିଳିଥିବାବେଳେ ତାଙ୍କୁ ପୁଣି ଭଲରେ ଥଇଥାନ କଲେ ମାନସ ଶଙ୍ଖ ଛାଡ଼ି ପଦ୍ମ ଧରିବେ ବୋଲି ସର୍ତ୍ତ ରଖିଛନ୍ତି । ମାନସଙ୍କ ଏଭଳି ସର୍ତ୍ତକୁ କିନ୍ତୁ ବିଜେପି ଗ୍ରହଣ କରିପାରୁନାହିଁ । କୁଟ୍ଟେଙ୍କୁ ପାୱାର ଦେଇ ବିଜେପି ଅକଳରେ ପଡ଼ିବାକୁ ଚାହୁଁନଥିବା ଜାଣିବାକୁ ମିଳିଛି ।
ସରକାର ବଦଳିବା ସହ ବିଜେଡ଼ି ନେତାଙ୍କ ମାନସିକତା ବି ବଦଳିବା ଆରମ୍ଭ ହୋଇସାରିଛି । ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ମମତା ପୁଣି ଥରେ ବିଜେପି ଟିକେଟରେ ସାଂସଦ ହୋଇଛନ୍ତି । ଏବେ ସୁଜିତ କୁମାର ମଧ୍ୟ ପୁଣି ବିଜେପି ଟିକେଟରେ ରାଜ୍ୟସଭା ସାଂସଦ ହେବାର ସମ୍ଭାବନା ରହିଛି । ଅର୍ଥାତ୍ ବିଜେଡ଼ି ଛାଡ଼ିଲେ ବି ରାଜ୍ୟସଭା ସାଂସଦଙ୍କର ପାୱାର ଓ ପତିଆରା କମିବନି ବୋଲି ବିଜେପି ବାର୍ତ୍ତା ଦେଇସାରିଛି । ଏହି ମଉକାରେ ସାଂସଦ ମାନସ ମଙ୍ଗରାଜ ବି ବିଜେପି ଆଡ଼କୁ ଢଳୁଛନ୍ତି ।
ମାନସ ବିଜେପିକୁ ଢଳିବା ପଛରେ ପ୍ରମୁଖ କାରଣଟି ହେଉଛି, ଗୁରୁ ଡିଏସ କୁଟ୍ଟେ । ଆଜି ସେ ଯେଉଁ ସ୍ଥାନରେ ପହଁଚିଛନ୍ତି ତାହା କେବଳ କୁଟ୍ଟେଙ୍କ ପାଇଁ ହିଁ ସମ୍ଭବ ହୋଇପାରିଛି । ଭିକେ ପାଣ୍ଡିଆନଙ୍କ ଡାହାଣ ହାତ ଭଳି କୁଟ୍ଟେ କାମ କରୁଥିଲେ । ବିଜେଡ଼ି ନେତାଙ୍କୁ ଧମକାଇ ଚୁପ୍ କରିବା ଥିଲା ତାଙ୍କ କାମ । ପାଣ୍ଡିଆନ ଓ କୁଟ୍ଟେଙ୍କ ବିନା ବିଜେଡ଼ିରେ ପତ୍ର ବି ହଲୁନଥିଲା । କିନ୍ତୁ ନିର୍ବାଚନ ପରେ ଉଭୟ ପାଣ୍ଡିଆନ ଓ କୁଟ୍ଟେଙ୍କ ଉପରେ ଶନିଦଶା ପଡ଼ିଛି । ପାଣ୍ଡିଆନ୍ ଚାକିରୀ ଛାଡ଼ି ଦେଇଥିବାବେଳେ କୁଟ୍ଟେ ଏବେ ପନିସମେଣ୍ଟ ପୋଷ୍ଟରେ ଅଛନ୍ତି । କୁଟ୍ଟେ ପୁଣି ଫୁଲ୍ ଫର୍ମକୁ ଫେରିବାକୁ ଚାହୁଁଥିବାରୁ ମାନସଙ୍କୁ ହିଁ ବିଜେପି ସହ ବୁଝାମଣା ପାଇଁ ଲଗାଇ ଦେଇଛନ୍ତି । ନିକଟରେ ନୂଆଦିଲ୍ଲୀରେ ବିଜେପିର ବରିଷ୍ଠ ନେତାମାନଙ୍କୁ ମାନସ ଭେଟିଥିଲେ । ସାର୍ଙ୍କ (କୁଟ୍ଟେ) କଥା ବୁଝିଲେ ସେ ବିଜେଡ଼ି ଛାଡ଼ି ବିଜେପିକୁ ଆସିବେ ବୋଲି କହିସାରିଛନ୍ତି ।
ରାଜ୍ୟ ବିଜେପି କିନ୍ତୁ ଏଭଳି ସର୍ତ୍ତରେ ରାଜି ହୋଇପାରୁନାହିଁ । ନିର୍ବାଚନ ବେଳେ ପାଣ୍ଡିଆନ୍ ଓ କୁଟ୍ଟେଙ୍କୁ ହିଁ ବିଜେପି ପ୍ରସଙ୍ଗ କରିଥିଲା । ଦୁଇ ଅଣଓଡ଼ିଆ ଅଫିସର କିଭଳି ରାଜ୍ୟ ଚଳାଉଛନ୍ତି ବୋଲି ବିଜେପି ନେତାମାନେ ଗଳା ଫଟାଇ କହୁଥିଲେ । ନୂଆ ସରକାର ଆସିବା ପରେପରେ ଏମାନଙ୍କ ବିରୋଧରେ ଆକ୍ସନ ମଧ୍ୟ ଆରମ୍ଭ ହୋଇଯାଇଛି । ଏଭଳି ସ୍ଥିତିରେ କୁଟ୍ଟେଙ୍କୁ କୋଳେଇବା ଅର୍ଥ ପକାଇବା ଛେପ ଢୋକିବା ସହ ସମାନ । ବିଜେପି ସହ ମାନସ ଏଭଳି ସର୍ତ୍ତାରୋପ କରିଥିବା ନେଇ ବିଜେଡ଼ି ଅଳିନ୍ଦରେ ବି ଖବର ବ୍ୟାପିଯାଇଛି । ଯଦି ବିଜେପି ଏଭଳି ବୁଝାମଣାରେ ରାଜି ନହୁଏ ତେବେ ମାନସ ଶିଶୁପାଳ ହୋଇଗଲେ ଆଶ୍ଚର୍ଯ୍ୟ ହେବାର ନାହିଁ । ସେହିପରି ଗତ ନିର୍ବାଚନ ପରାଜୟ ପାଇଁ ମାନସ ମଙ୍ଗରାଜଙ୍କୁ ବି ଅନେକ ଦାୟୀ କରନ୍ତି । ନିଜ ସ୍ୱାର୍ଥ ସାଧନ ପାଇଁ ସେ ଗଣମାଧ୍ୟମକୁ ବ୍ୟବହାର କରୁଥିଲେ । ରାଜ୍ୟର ଏକ ପ୍ରତିଷ୍ଠିତ ଗଣମାଧ୍ୟମକୁ ମାନସ ହିଁ ହଲାପଟା କରି ପୁରୁଣା ରାଗ ଶୁଝାଇଥିଲେ । ମନପସନ୍ଦର ଖବରକାଗଜକୁ ବିଜ୍ଞାପନ ଅଜାଡ଼ି ଦେଇ ସେବାବଦରେ ସେ ମୋଟା ଅଙ୍କର କମିଶନ ନେଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ଦଳ ଓ ମିଡ଼ିଆରେ ସେ ଏବେ କୋଣଠେସା ହୋଇଯାଇଛନ୍ତି । ନିର୍ବାଚନ ପୂର୍ବରୁ ତାଙ୍କର ଏମଏମ ଗ୍ରୁପ ବେଶ୍ ସକ୍ରିୟ ଥିବାବେଳେ ତାହା ବି ବନ୍ଦ ହୋଇଯାଇଛି । ସେହିପରି ବିଜେଡ଼ିର ସୋସିଆଲ ମିଡ଼ିଆ ବାବଦ ଟଙ୍କା ହାତେଇବା ପାଇଁ କୁଟ୍ଟେଙ୍କ ପରାମର୍ଶରେ ସେ ସମାନ୍ତରାଳ ୱେବ ମିଡ଼ିଆ ଓ ସୋସିଆଲ ମିଡ଼ିଆ ଅଫିସ୍ ବି ଚଳାଉଥିଲେ । ଯାହାକୁ ନେଇ ସେତେବେଳେ ଅନେକ ବଡ଼ ନେତା କ୍ଷୁବ୍ଧ ହୋଇଥିଲେ । ଏପରିକି ନିଜର ପ୍ରଭାବ ବିସ୍ତାର କରି ବିଜେଡ଼ିର କେତେକ ନେତାଙ୍କୁ ସେ ତାଙ୍କ ସଂସ୍ଥା ଜରିଆରେ ସୋସିଆଲ ମିଡ଼ିଆ କାମ କରିବାକୁ ବାଧ୍ୟ କରିଥିଲେ । ଚାରିଆଡ଼ୁ ଆକ୍ତମାକ୍ତା ହୋଇଯାଇଥିବା ମାନସ ଏବେ ନିଜ କର୍ମଫଳ ହିଁ ଭୋଗିବା ଆରମ୍ଭ କରିଛନ୍ତି ।