ଆମ୍ବେଦରଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜ୍ଜାକୁ ନେଇ ଜଳାପୋଡ଼ା
ମୁମ୍ବାଇ: ମହାରାଷ୍ଟ୍ରର ପରଭାନୀ ଜିଲ୍ଲାରେ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜାକୁ ନେଇ ଉତ୍ତେଜନା ଦେଖାଦେଇଛି । ଉତ୍ତ୍ୟକ୍ତ ଲୋକେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖ ପ୍ରତିମୂର୍ତ୍ତି ଅଞ୍ଚଳରେ ଏକତ୍ରିତ ହୋଇ ରାସ୍ତା ରୋକ ଓ ରେଳ ରୋକୋ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯେଉଁମାନେ ସମ୍ବିଧାନକୁ ଅପମାନ କରୁଛନ୍ତି ସେମାନଙ୍କୁ ଫାଶୀ ଦିଆଯିବା ଉଚିତ ବୋଲି ବିକ୍ଷୋଭକାରୀ ଦାବି କରି ବିଭିନ୍ନ ସ୍ଥାନରେ ଜଳାପୋଡ଼ା କରିଛନ୍ତି । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଲୁହବୁହା ଗ୍ୟାସ୍ ସେଲ୍ କରିଛି । ସେହିପରି ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି ଏବଂ ବିଏନ୍ଏସ୍ଏସ୍ର ଧାରା ୧୬୩ ଲାଗୁ କରାଯାଇଛି ।
ଅନ୍ୟପକ୍ଷରେ ବଞ୍ଚôତ ବହୁଜନ ଅଘାଡି (ଭବିଏ) ମୁଖ୍ୟ ପ୍ରକାଶ ଆମ୍ବେଦକର ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ପରଭାନୀରେ ଥିବା ବାବାସାହେବଙ୍କ ପ୍ରତିମୂର୍ତ୍ତିକୁ ଜାତିବାଦୀ ମରାଠା ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିବା ଅତ୍ୟନ୍ତ ଲଜ୍ଜାଜନକ । ଏହା ପ୍ରଥମଥର ନୁହେଁ ଯେ ବାବାସାହେବଙ୍କ ପ୍ରତିମୂର୍ତ୍ତି କିମ୍ବା ଦଳିତ ପରିଚୟର ଚିହ୍ନ ଭଙ୍ଗାଯାଇଛି । ସେ କହିଛନ୍ତି, ଭବିଏ ପରଭାନୀ ଜିଲ୍ଲା କର୍ମକର୍ତ୍ତାମାନେ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ସେମାନଙ୍କ ବିରୋଧ ଯୋଗୁଁ ପୁଲିସ ଏତଲା ରୁଜୁ କରି ଜଣେ ଦୁର୍ବୃତ୍ତଙ୍କୁ ଗିରଫ କରିଥିଲା ।