ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନକୁ ବିରୋଧ କରି ସାମ୍ବାଦିକ ସମ୍ମିଳନୀ 

 ନବରଙ୍ଗପୁର: ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନ ଆରମ୍ଭରୁ  ବିରୋଧ  । ଦକ୍ଷିଣ  ଓଡିଶା ବିକାଶ ପରିଷଦ ଗଠନକୁ ବିରୋଧ କରିଛନ୍ତି ପୂର୍ବତନ ବିଧାୟକ ତଥା ପୂର୍ବତନ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ଭୁଜବଳ ମାଝୀ । ନବରଙ୍ଗପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନୂତନ ପରିଷଦ ଗଠନ କରି ବିଜେଡି ରାସ୍ତାରେ ବିଜେପି ଥିବା କହିଛନ୍ତି ଭୁଜବଳ । ଏହି ପରିଷଦ ବିଜେପି  ନେତାଙ୍କୁ ଥଇଥାନ କରିବା ପାଇଁ ଉଦ୍ଧିଷ୍ଟ ଥିବାରୁ ଦକ୍ଷିଣ ଓଡିଶା ବିକାଶ ପରିଷଦ ଦ୍ୱାରା ଅଞ୍ଚଳର କୌଣସି ବିକାଶ ହେବ ନାହିଁ ବୋଲି କହିଛନ୍ତି ଭୁଜବଳ  । ଯଦି ସରକାର ଦକ୍ଷିଣ ଓଡ଼ିଶାରେ ଥିବା ଆଦିବାସୀ ଅଧୁ୍ୟଷିତ ୯ଟି ଜିଲ୍ଲା ଯେଉଁଠି ଅନାହାରରେ ଲୋକେ ମୃତୁ୍ୟବରଣ କରୁଛନ୍ତି, ଅପପୃଷ୍ଟିର ଶିକାର ହେଉଛନ୍ତି, ଦାଦନ ଯାଉଛନ୍ତି, ଆମ୍ବ ଟାକୁଆ ଖାଉଛନ୍ତି ତାହାକୁ ରୋକିବା ପାଇଁ ଚାହୁଁଛନ୍ତି । ସେ ଅଞ୍ଚଳ ବିକାଶ କରିବା ପାଇଁ ଗୁରୁତ୍ୱ ଦେଉଛନ୍ତି ତେବେ ଗୋଟିଏ ମୁଖ୍ୟ  ଦାବିକୁ ପୁରଣ କରିବା ପାଇଁ ପରାମର୍ଶ ଦେଇଛନ୍ତି  । ଆଦିବାସୀ ଅଧୁ୍ୟଷିତ ଜିଲ୍ଲାର ବିକାଶ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ ଲାଗୁ କରି  ସ୍ୱତନ୍ତ୍ର ବଜେଟ ପ୍ରସ୍ତୁତ କରିବା ପାଇଁ ସମ୍ବିଧାନରେ ବ୍ୟବସ୍ଥା ରହିଛି । ରାଜ୍ୟରେ ସମଗ୍ର ଜନସଂଖ୍ୟାର ୨୩ ପ୍ରତିଶତ ଆଦିବାସୀ ଲୋକ ଥିବାରୁ ସେ ଅନୁସାରେ ବଜେଟରେ ସ୍ୱତନ୍ତ୍ର ଭାବେ  ଅର୍ଥ ବ୍ୟବସ୍ଥା କରି ୬୬ ହଜାର କୋଟି ଟଙ୍କା ର ଅର୍ଥ ବ୍ୟୟବରାଦ କରିବା ପାଇଁ କହିଛନ୍ତି  । ଏହି ଅର୍ଥ  ପ୍ରଦାନ କରିଲେ ଅଞ୍ଚଳର ସମଗ୍ର ବିକାଶ ହେବ କୌଣସି ଅନାହାର ମୃତୁ୍ୟ ବନ୍ଦ ହେବ, ଅପପୃଷ୍ଟି ଦୂରୀକରଣ ହୋଇପାରିବ, ଦାଦନ ସଂଖ୍ୟା କମିଯାଇ ସମଗ୍ର ଆଦିବାସୀ ଅଧୁ୍ୟଷିତ ଅଞ୍ଚଳର ବିକାଶ ହେବ ବୋଲି କହିଛନ୍ତି ଭୁଜବଳ । ଯେଉଁଥିପାଇଁ ସେ ଦକ୍ଷିଣ ଓଡିଶା ବିକାଶ ପରିଷଦକୁ ବିରୋଧ କରୁଥିବା କହିଛନ୍ତି  ।