ପାଟପୁର ଥାନା ଠାରୁ କିଛି ଶିଖୁ କମିଶନରେଟ୍ ପୁଲିସ

ପାଟପୁର ଥାନା ଠାରୁ କିଛି ଶିଖୁ କମିଶନରେଟ୍ ପୁଲିସ

କମିଶନ୍ରେଟ୍ ପୁଲିସରେ ଗାଦିମଡା ଅଧିକାରୀଙ୍କ ରାଜୁତି
ମଟନ- ଚିଙ୍ଗୁଡି- କଙ୍କଡ଼ା ଦେଇ ଉପରସ୍ତ ଅଧିକାରୀଙ୍କୁ ନିଜ ଜାଲରେ
ଭୁବନେଶ୍ୱର, ୨୯ା୧୧ : ପାଟପୁର ଥାନା ଠାରୁ କିଛି ଶିଖୁ କମିଶନରେଟ୍ ପୁଲିସ । ଏଠାରେ କାମ ଅପେକ୍ଷା ତେଲମରାରେ ଚାଲିଛି ରାଜଧାନୀ । ସୁନ୍ଦର ଅପେକ୍ଷା କଳଙ୍କ ବେଶି । ସମ୍ନାନ ଅପେକ୍ଷା ନିନ୍ଦା ବେଶି । କାରଣ କମିଶନରେଟ୍ ପୁଲିସରେ ବଢୁଛି ଗାଦିମଡ଼ା ଅଧିକାରୀଙ୍କ କ୍ଷମତା । ସେମାନେ ଯେପରି କୋଳି ଖାଇ ମଞ୍ଜି ପୋତିଲା ପରି ଏଠାରେ ୧୫ ବର୍ଷରୁ ଅଧିକ ଦିନ ହେବ ଗାଦିମାଡ଼ି ବସିଛନ୍ତି । ରାଜଧାନୀରୁ ଏସ୍ଆଇ ଚାକିରି ଆରମ୍ଭ କରି ଏଠାରେ ହିଁ ପଦୋନ୍ନତି ପାଇଁ ଏଠାରେ ବସି ରହିଛନ୍ତି । ନା ସେମାନଙ୍କୁ କେହି ଅନ୍ୟ ପୁଲିସ ଜିଲ୍ଲାକୁ ବିଦା କରୁଛନ୍ତି ନା ସେମାନଙ୍କୁ କେହି କିଛି କହୁଛନ୍ତି । ଏହାର କାରଣ ଏହି ଗାଦିମଡା ଅଫିସର ମାନେ ଉପରସ୍ତ ଅଧିକାରୀଙ୍କୁ ନିଜ ଜାଲରେ ଫସାଇ ରଖିବା ପାଇ ବାରିରେ କଙ୍କଡ଼ା, ଚିଙ୍ଗୁଡ଼ି, ମଟନ, ଦେଶୀ କୁକୁଡା ଦେଇ ହାତରେ ରଖିବା ସହିତ କମିଶନରେଟ୍ ପୁଲିସରେ କାହାକୁ ବଦଳି କରିବା ଓ କାହାକୁ ରଖିବା ସେହି ପାଲା ଚଲାଇଛନ୍ତି । ଏମାନଙ୍କ କଥାରେ ଉପରସ୍ତ ଅଧିକାରୀ ମାନେ ମଧ୍ୟ ସୁବିଧା ପାଇ ସେମାନେ ଯାହା କହିଲେ ବାବୁ ମାନେ ସେମିତି ରିମୋଡ କଣ୍ଟ୍ରୋଲ ଭଳି କାମ କରୁଛନ୍ତି । ଯାହାଦ୍ୱାରା ରାଜଧାନୀରେ ଦିନକୁ ଦିନ ଅପରାଧ, ନିଶା କାରବାର, ଠକେଇ, ସାଇବର ଠକେଇ, କୁକର୍ମ, ହତ୍ୟା ଭଳି ଅପରାଧ ବଢ଼ିବାରେ ଲାଗିଛି । ଏହାର କାରଣ ରାଜଧାନୀକୁ ଆସିଥିବା ବିଭିନ୍ନ ଥାନାର ଦକ୍ଷ ଅଧିକାରୀମାନେ କାମ ଅପେକ୍ଷା ଏହି ଗାଦିମଡାଙ୍କ କାମ କରିବାକୁ ବାଧ୍ୟ ହେଉଛନ୍ତି । ଯାହାକୁ ନେଇ କିଛି ଥାନାର ଅଧିକାରୀ ଓ କିଛି ବରିଷ୍ଠ ଅଧିକାରୀମାନେ ଅସନ୍ତୁଷ୍ଠ ପ୍ରକାଶ କରିଥିବା ଦେଖାଯାଇଛି । ଯେଉଁ ଥାନା ଅଧିକାରୀଙ୍କ ସହ ଏମାନଙ୍କର ପଡୁନାହିଁ ଏହି ଗାଦିମଡ଼ା ଅଧିକାରୀ ମାନେ ସେମାନଙ୍କ ନାମରେ ଉପରିସ୍ଥ ଅଧିକାରୀଙ୍କୁ ମିଛ ସତ କହୁଛନ୍ତି । ଲାଞ୍ଚ ଖାଇବା ଠାରୁ ଆରମ୍ଭ କରି ଥାନା ଅଞ୍ଚଳର ଲୋକେ ଇନ୍ସପେକ୍ଟର କାର୍ଯ୍ୟରେ ଅସନ୍ତୋଷ ଥିବା ଭଳି ମଧ୍ୟ ମନ୍ତ୍ର ପଢ଼ୁଛନ୍ତି । ଯେଉଁଥି ପାଇଁ ଉପରିସ୍ଥ ଅଧିକାରୀ ମାନେ ଏହି ଗାଦିମଡ଼ା ଅଧିକାରୀଙ୍କ କଥାକୁ ବିଶ୍ୱାସ କରି ଉକ୍ତ ଇନ୍ସପେକ୍ଟରଙ୍କୁ ବିଦା କରି ଦେଉଛନ୍ତି ।
 ବଡ଼ କଥା ହେଲା ପୁଲିସ ମାନୁଆଲକୁ ଏହି ଗାଦିମଡ଼ା ଅଧିକାରୀମାନେ ଫୁ କରି ଦେଇଛନ୍ତି । ସେମାନେ ଏହାର ଗଳାବାଟ ବାଛି ନେଇଛନ୍ତି । ଆଚରଣ ବିଧି ଲାଗିବା ପୂର୍ବରୁ ବଦଳି ହେବା ସୁନିଶ୍ଚିତ । ତେଣୁ ଏହି ଗାଦିମଡ଼ାକୁ ଜାଣିଶୁଣି ଭୁବନେଶ୍ୱରରୁ କଟକ ଏବଂ କଟକରେ ଥିବା ଅଧିକାରୀଙ୍କୁ ଭୁବନେଶ୍ୱର ଆଣୁଛନ୍ତି । ନିର୍ବାଚନ ଶେଷ ପରେ ଜାଣିଶୁଣି କଟକକୁ ଯାଇଥିବା ଅଧିକାରୀଙ୍କୁ ପୁଣି ଏଠାକୁ ନେଇ ଆସୁଥିବା ଦେଖିବାକୁ ମିଳୁଛି । ଆହୁରି ମଧ୍ୟ ଏଠାରେ ଥିବା କିଛି ଗାଦିମଡ଼ାକୁ ସିପି ଅଫିସ, ଡିସିପି ଅଫିସ୍, ଡିଆଇବି, ଏସ୍ଟିଏଫ, ଇଓଡବ୍ଲୁ୍ୟ ଏବଂ କ୍ରାଇମ୍ବ୍ରାଞ୍ଚ ସାଇବର ସେଲ୍କୁ ପଠାଇ ଦେଉଛନ୍ତି । ଯାହାଫଳରେ ସେମାନେ ଥାନାରୁ ହଟିଲେ ମଧ୍ୟ ରାଜଧାନୀରେ ରହିବେ । ପୁଲିସ ମାନୁଆଲ ଅନୁସାରେ ୩ବର୍ଷରୁ ଅଧିକ ଦିନ କୌଣସି ପୁଲିସ ଅଧିକାରୀ ଗୋଟିଏ ପୁଲିସ ଜିଲ୍ଲାରେ ରହି ପାରିବେ ନାହିଁ । କିନ୍ତୁ ସେମାନେ ଏଠାରେ ୧୫ ବର୍ଷରୁ ଅଧିକ ଦିନ ହେବ ଏଭଳି ଗଳାବାଟ ଦେଇ ରହିଛନ୍ତି । ସେମାନେ ରାଜଧାନୀରେ ଏକପ୍ରକାର ସେଟେଲ ହୋଇଯାଇଥିବାରୁ ଏଠାରୁ ଯିବାକୁ ଅମଙ୍ଗ । ଜାଗା କିଣି ଘର କରିବା ଠାରୁ ଆରମ୍ଭ କରି ପିଲା ପାଠ ପଢୁଥିବାରୁ ଯିବାକୁ ଅନିଚ୍ଛା ହେଉଛନ୍ତି । ଯେଉଁଥି ପାଇଁ କମିଶନରେଟ୍ ପୁଲିସକୁ ଆସିବାକୁ ଇଚ୍ଛାଥିବା ଦକ୍ଷ ଅଧିକାରୀମାନେ ଏମାନଙ୍କ ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି । ଭଲ କାମ କରିଲେ ମଧ୍ୟ ସଜ ମାଛରେ ପୋକ ପକାଇଲା ଭଳି ଏହି ଗାଦିମଡ଼ା ଉପରିସ୍ଥ ଅଧିକାରୀଙ୍କୁ ମିଛ କହି ଏମାନଙ୍କୁ ରାଜଧାନୀକୁ ପ୍ରଶୟ ଦେଉନାହାନ୍ତି ।  ଅନ୍ୟପଟେ ଆଜି ଡିଜିପି ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାର ପାଟପୁର ଥାନାକୁ ଦେଶର ଦ୍ୱିତୀୟ ଥାନା ଭାବେ ପୁରସ୍କୃତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ହେଲେ କମିଶନରେଟ୍ ପୁଲିସ ଏତେ ସଜବାଜ ହୋଇ ବିଭିନ୍ନ ଥାନାକୁ ମଡେଲ କରିଆସିଥିବା ବେଳେ ପଛରେ ରହିଗଲା ରାଜଧାନୀ ଭୁବନେଶ୍ୱର । ଏହାର କାରଣ କମିଶନରେଟ୍ ପୁଲିସରେ ଉପର ସୁନ୍ଦର ବାହାରେ କଳଙ୍କର ଦାଗ ଲାଗିଛି । ଯାହାଦ୍ୱାରା ପୁଲିସ ମହଲରେ କମିଶନରେଟ୍ ପୁଲିସର ବଡ଼ବଡ଼ ମୁଖିଆଙ୍କୁ ନିନ୍ଦା କରିଛନ୍ତି କିଛି ଦାୟିତ୍ୱବାନ ଓ ପୁଲିସ ବିଭାଗ ପାଇଁ ଦିନରାତି ଏକ କରି ସମ୍ନାନ ସାଉଣ୍ଟିଥିବା କିଛି ବରିଷ୍ଠ ଅଧିକାରୀ । ସେ କହିଛନ୍ତି, ଆମ କମିଶନରେଟ୍ ପୁଲିସ କିଛି ଗଞ୍ଜାମ ଜିଲ୍ଲାର ଉପକଣ୍ଠ ଅଞ୍ଚଳରେ ରହିଥିବା ପାଟପୁର ଥାନା ଠାରୁ କିଛି ଶିଖିବାର ଆବଶ୍ୟକ ରହିଛି ।