ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ବିରୋଧୀ ମେଣ୍ଟରୁ ଓହରି ଗଲା
ମହାରାଷ୍ଟ୍ରର ବିରୋଧୀ ମେଣ୍ଟ ମହା ବିକାଶ ଅଘାଡ଼ି(ଏମଭିଏ)କୁ ଶକ୍ତ ଝଟକା ଲାଗିଛି। ଏମଭିଏରେ ଥିବା ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ଆଜି ମେଣ୍ଟରୁ ଓହରି ଯାଇଛି। ଉଦ୍ଧବ ଠାକରେଙ୍କ ଜଣେ ଘନିଷ୍ଠ ସହଯୋଗୀ ବାବ୍ରୀ ମସଜିଦ ଭଙ୍ଗା ଯିବା ଘଟଣାରେ ବିବାଦୀୟ ବୟାନ ଦେବାକୁ ସପା ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।
ବାବ୍ରୀ ମସଜିଦ ଭଙ୍ଗା ଯିବା ଘଟଣାର ୩୨ ବର୍ଷ ପୂର୍ତ୍ତି ଅବସରରେ ଉଦ୍ଧବ ଠାକରେଙ୍କ ଶିବସେନାର ବରିଷ୍ଠ ନେତା ମିଲିନ୍ଦ ନରଭେକର ସୋଶାଲ ମିଡିଆରେ ଗୋଟିଏ ପୋଷ୍ଟ କରିଛନ୍ତି।
ସେ ପୋଷ୍ଟ କରିଥିବା ଫଟୋରେ ବାବ୍ରୀ ମସଜିଦକୁ ଭଙ୍ଗା ଯାଉଛି। ଏଥିରେ ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଗୋଟିଏ ଉକ୍ତି ରହିଛି। ବାଲା ସାହେବ ଏଥିରେ କହିଛନ୍ତି, “ଏହାକୁ ଯେଉଁମାନେ କରିଛନ୍ତି(ଭାଙ୍ଗିଛନ୍ତି) ସେମାନଙ୍କ ପାଇଁ ମୁଁ ଗର୍ବିତ।” ଏହି ଫଟୋରେ ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ ଓ ନରଭେକରଙ୍କ ଫଟୋ ମଧ୍ୟ ରହିଛି। ଏପରି ପୋଷ୍ଟକୁ ବିରୋଧ କରି ସପା ଏମଭିଏରୁ ଓହରି ଯାଇଛି। ମହାରାଷ୍ଟ୍ରରେ ସପାର ୨ ଜଣ ବିଧାୟକ ରହିଛନ୍ତି। ଆଜି ବିଧାନସଭାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ଏମଭିଏ ଦଳଗୁଡ଼ିକ ଇଭିଏମକୁ ଦୋଷ ଦେଇ ବୟକଟ କରିଥିଲେ। ହେଲେ ସପାର ରାଜ୍ୟ ସଭାପତି ତଥା ବିଧାୟକ ଅବୁ ଅସିମ ଅଜମି ଓ ବିଧାୟକ ରୈସ ଶେଖ ଏମଭିଏ ନିଷ୍ପତ୍ତିକୁ ଖାତିର ନ କରି ବିଧାୟକ ଭାବେ ଶପଥ ନେଇଛନ୍ତି।