ଶ୍ରୀମନ୍ଦିର ପ୍ରଶାସନ-ପଞ୍ଜିକାରମାନଙ୍କ ବୈଠକ
puri news
।। ପ୍ରଭାନ୍ୟୁଜ୍ ।। ପୁରୀ : ବିଭିନ୍ନ ପର୍ବ ପର୍ବାଣୀକୁ ନେଇ ଲୋକଙ୍କ ମଧ୍ୟରେ ଯେଉଁ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି ତାହା ଦୂର କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ । ଓଡ଼ିଶାର ପ୍ରସିଦ୍ଧ ପଞ୍ଜିକାରମାନଙ୍କୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ବୈଠକ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପାଞ୍ଚଜଣ ପଞ୍ଜିକା ପ୍ରକାଶନ କରୁଥିବା ଅନୁଷ୍ଠାନ ଯୋଗଦେଇଥିଲେ । ଆଗାମୀ ପାଞ୍ଜି ପ୍ରକାଶ ପୂର୍ବରୁ ତାଙ୍କର ଗଣନା ଏବଂ ପାଣ୍ଡୁଲିପି ମୁକ୍ତିମଣ୍ଡପ ପଣ୍ଡିତ ସଭାକୁ ପ୍ରଦାନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ପାଣ୍ଡୁଲିପିକୁ ମୁକ୍ତିମଣ୍ଡପ ପଣ୍ଡିତ ସଭା ତର୍ଜକା କରି ଭୁଲ୍ ଠିକ୍ ଥିବା ସମସ୍ତ ତଥ୍ୟକୁ ଠିକ୍ କରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏହା ଦିଆଯାଇ ଅନୁମୋଦନ କରାଯିବ । ଏହାପରେ ପଞ୍ଜିକା ପ୍ରକାଶ କରୁଥିବା ସଂସ୍ଥାଗୁଡ଼ିକ ପଞ୍ଜିକା ପ୍ରକାଶ କରିବେ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ତେବେ ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମୋଦନରେ ବିଭ୍ରାନ୍ତିକର ସୂଚନା ପାଞ୍ଜିରେ ପ୍ରକାଶ କରାଗଲେ ସମ୍ପୃକ୍ତ ସଂସ୍ଥାକୁ ନୋଟିସ୍ ଦିଆଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି । ମଙ୍ଗଳବାର ଅନୁଷ୍ଠିତ ବୈଠକରେ ପଞ୍ଜିକାର, ମୁକ୍ତିମଣ୍ଡପ ପଣ୍ଡିତ ସଭା, ପୂଜାପଣ୍ଡା ନିଯୋଗ ସାମିଲ ହୋଇଥିଲେ ।