ରାଜ୍ୟ ବିକାଶରେ ଅର୍ଥର ପ୍ରମୁଖ ଭୂମିକା: ରାଜ୍ୟପାଳ
ଭୁବନେଶ୍ୱର : ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ତଥା ନୂତନ ବିକାଶମୂଳକ ଯୋଜନା ପ୍ରଣୟନରେ ଅର୍ଥର ପ୍ରମୁଖ ଭୂମିକା ରହିଛି । ଆର୍ଥିକ ଅବସ୍ଥା ଯେତେ ସ୍ୱଚ୍ଛଳ ଓ ସଶକ୍ତ ହେବ ରାଜ୍ୟର ପ୍ରଗତି ଏବଂ ବିକାଶ ସେହି ମାତ୍ରାରେ ତ୍ୱରାନ୍ୱିତ ହୋଇପାରିବ ଏବଂ ଜନସାଧାରଣଙ୍କ ଜୀବନର ମାନରେ ଉନ୍ନତି ଆସିବ ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି । ଆଜି ରାଜଭବନର ଅଭିଷେକ ହଲ୍ଠାରେ ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ଏକାଡେ଼ମୀରେ ପ୍ରଶିକ୍ଷଣ ଗ୍ରହଣ କରୁଥିବା ୨୦୨୧ ବ୍ୟାଚ୍ର ଓଡ଼ିଶା ଅର୍ଥ ସେବାର ଅଧିକାରୀମାନଙ୍କୁ ଉଦ୍ବୋଧନ ଦେବା ଅବସରରେ ରାଜ୍ୟପାଳ ବିକଶିତ ଓଡ଼ିଶା ଗଠନ ଦିଗରେ ପ୍ରଶିକ୍ଷାର୍ଥୀମାନଙ୍କ ଗୁରୁ ଦାୟିତ୍ୱ ରହିଛି ବୋଲି କହିବା ସହିତ ଏଥି ନିମନ୍ତେ ନିଜକୁ ଉପଯୁକ୍ତ ଭାବେ ପ୍ରସ୍ତୁତ କରିବାକୁ କହିଥିଲେ । ରାଜ୍ୟପାଳ ପ୍ରଶିକ୍ଷଣ ଗ୍ରହଣ କରୁଥିବା ଅଧିକାରୀମାନଙ୍କୁ ନିର୍ଭୀକ, ସଚ୍ଚୋଟ, ନିୟମ କାନୁନ୍ ସଂପର୍କରେ ବିଶେଷଭାବେ ଅବଗତ ହେବାକୁ ତଥା କୌଣସି ପ୍ରକାର ଚାପର ବଶବର୍ତ୍ତୀ ନହୋଇ ଦାୟିତ୍ୱ ସଂପନ୍ନ ସମୟରେ ସଠିକ୍ ପରାମର୍ଶ ଦେବାକୁ ଅଗ୍ରାଧିକାର ଦେବା ପାଇଁ କହିଥିଲେ । ଓଡ଼ିଶାରେ ସାମର୍ଥ୍ୟ, ସୁଯୋଗ ଓ ସଂଯୋଗର ବିପୁଳ ସମ୍ଭାର ରହିଛି ଓ ରାଜ୍ୟର ଅର୍ଥ ସେବାର ଅଧିକାରୀଭାବେ ଏହାର ସଂପୂର୍ଣ୍ଣ ସଦୁପଯୋଗ କରିବାକୁ ରାଜ୍ୟପାଳ ସେମାନଙ୍କୁ କହିଥିଲେ । ରାଜ୍ୟ ଏବଂ ରାଜ୍ୟବାସୀଙ୍କ ଆଶା ଓ ଆସ୍ଥାକୁ ପୂରଣ କରିବା ପାଇଁ ପ୍ରଶିକ୍ଷାର୍ଥୀମାନେ ନିଜର କାର୍ଯ୍ୟ ଏବଂ ଆଚରଣରେ ଯତ୍ନଶୀଳ ହେବାକୁ ରାଜ୍ୟପାଳ ସେମାନଙ୍କୁ କହିବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।