ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ସବୁ ଅଭିଯୋଗର ହେବ ସମାଧାନ

Mohan Charan Majhi

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ସବୁ ଅଭିଯୋଗର ହେବ ସମାଧାନ

ଭୁବନେଶ୍ୱର : ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ପଞ୍ଚମ ପାଳି  । ଆଜି ଏହି କାର୍ଯ୍ୟକ୍ରମରେ ଏକ ନିଆରା ମାନବିକତା ପଣ ଦେଖାଇଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ  ।

ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚି ଗାଡିରୁ ଓହ୍ଲାଇ ପ୍ରଥମେ ଯାଇଥିଲେ ଅପେକ୍ଷାରତ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପାଖକୁ  । ପ୍ରାୟ ୫୦ ଜଣ ଦିବ୍ୟାଙ୍ଗ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଅପେକ୍ଷାରେ ବସିଥିଲେ  । ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ପାଖକୁ ଯାଇ ବସିବା ପାଇଁ କହି ନିଜେ ଠିଆ ହୋଇ ସେମାନଙ୍କର ଅଭିଯୋଗ ଶୁଣିଥିଲେ ଏବଂ ଦରଖାସ୍ତ ଗ୍ରହଣ କରିଥିଲେ  । କେତେକ ଅଭିଯୋଗକାରୀଙ୍କ ଗୁହାରୀ ଶୁଣି ତତକ୍ଷଣାତ୍‌ ପଦକ୍ଷେପ ନେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଉଥିଲେ  । ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବା ଦିବ୍ୟାଙ୍ଗ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କର ଏଭଳି ମାନବିକତା ପୂର୍ଣ୍ଣ ବ୍ୟବହାରରେ ଆନନ୍ଦିତ ହୋଇଥିଲେ  ।

ଅଭିଯୋଗ ନେଇ ଆସିଥିବା ଲୋକଙ୍କୁ ପାଖରେ ବସାଇ ଲୋକଙ୍କ ଦୁଃଖ ଶୁଣୁଛନ୍ତି  । ସମାଧାନର ବ୍ୟବସ୍ଥା କରୁଛନ୍ତି  । ଧୈର୍ଯ୍ୟ ଧରିବାକୁ ଆଶ୍ୱାସନା ଦେଉଛନ୍ତି  । ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ସମସ୍ୟାର ସମାଧାନ କିପରି ହେବ ସେଥିପାଇଁ ନିର୍ଦ୍ଦେଶ ଦେଇ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ।

ଜୁଲାଇ ୧ରୁ ଆରମ୍ଭ ହୋଇଥିବା ଅଭିଯୋଗ ଶୁଣାଣି ପ୍ରକ୍ରିୟା ଆଜି ପଞ୍ଚମ ପାଳିରେ ପହଞ୍ଚିଲା  । ଲୋକଙ୍କ ସୁବିଧାକୁ ଆଖି ଆଗରେ ରଖି ବର୍ତ୍ତମାନ ଅଭିଯୋଗ ପଞ୍ଜୀକରଣ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବରେ ଅନଲାଇନ୍‌ କରାଯାଇଅଛି  । ଏହାଦ୍ୱାରା ଅଭିଯୋଗକାରୀମାନଙ୍କୁ ଅଯଥାରେ ଅଧିକ ସମୟ ଅପେକ୍ଷା କରିବାକୁ ପଡୁନାହିଁ । ପ୍ରତି ପାଳିରେ ସମସ୍ତଙ୍କୁ ଉପଯୁକ୍ତ ସମୟ ଦେବାପାଇଁ ସର୍ବାଧିକ ୧ ହଜାର ଅଭିଯୋଗକାରୀଙ୍କୁ ଭେଟିବାର ବ୍ୟବସ୍ଥା କରାଯାଉଛି । 

ଆଜି ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କ ସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ  ବିଭୂତି ଭୂଷଣ ଜେନା ଏବଂ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ସେମାନଙ୍କ ସହିତ ବିଭିନ୍ନ ବିଭାଗର ସଚିବସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଥିଲେ  ।
ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଅଭିଯୋଗକାରୀମାନଙ୍କ ମଧ୍ୟରୁ ଜଣେ ଥିଲେ ନୟାଗଡ଼ ଜିଲ୍ଳାର ବୟସ୍କ ମହିଳା କେତକୀ ନନ୍ଦ । ପୁଅ ତାଙ୍କୁ ଘରୁ ବାହାର କରିଦେଇଛି  । ତାଙ୍କ ଦୁଃଖ କାହାଣୀ ଶୁଣି ମୁଖ୍ୟମନ୍ତ୍ରୀ ବ୍ୟଥିତ ହୋଇଥିଲେ  । ତୁରନ୍ତ ମା’ଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ଜିଲ୍ଲା ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ  ।

ସେହିଭଳି କଟକ ଜିଲ୍ଲା ବଡମ୍ବା ଅଞ୍ଚଳର ବନିତା ପ୍ରଧାନ ଓ ଅମିତା ପ୍ରଧାନ ଦୁଇ ଭଉଣୀ ଆସିଥିଲେ ନିଜ ଅସହାୟତା ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ସାହାଯ୍ୟ ପାଇଁ  । ବାପା ମରିଯାଇଛନ୍ତି, ଦଶାହ କାର୍ଯ୍ୟ କରିବା ପାଇଁ ଦୁଇ ଛୋଟ ଝିଅଙ୍କ ପାଖେ ପଇସା ନାହିଁ  । ଦଶାହ କାର୍ଯ୍ୟ କିପରି କରିବେ । ମୁଖ୍ୟମନ୍ତ୍ରୀ ତାଙ୍କ ଦୁଃଖ ଶୁଣି ଜିଲ୍ଲାପାଳଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । 

ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ଦୁର୍ଘଟଣା ପୀଡ଼ିତ ପରିବାରରୁ ପାଞ୍ଚ ଜଣ ମହିଳା ସଦସ୍ୟା ଆସିଥିଲେ ସେମାନଙ୍କ ଅଭିଯୋଗ ଓ ଦୁଃଖ ଜଣାଇବା ପାଇଁ  । ଘରର ରୋଜଗାରିଆ ସଦସ୍ୟମାନଙ୍କୁ ହରାଇ ବହୁ ଦୁଃଖରେ ଚଳୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କରିଥିଲେ  । ମୁଖ୍ୟମନ୍ତ୍ରୀ ଏହି ମହିଳାମାନଙ୍କୁ ରୋଜଗାର ଯୋଗାଇ ଥଇଥାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । 

ଜଟଣୀରୁ ଆସିଥିଲେ ପ୍ରୀତି ମହାନ୍ତି ଓ ଲକ୍ଷ୍ମୀପ୍ରିୟା ନାୟକ । ମୁଖ୍ୟମନ୍ତ୍ରୀ ସେମାନଙ୍କ ଅଭିଯୋଗ ଶୁଣି ତୁରନ୍ତ ସମସ୍ୟାର ସମାଧାନ ନିମନ୍ତେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ  । ଏହିଭଳି ପଞ୍ଜୀକୃତ କରିଥିବା ହଜାରେ ଲୋକ ସେମାନଙ୍କର ସ୍ୱାସ୍ଥ୍ୟଗତ, ବ୍ୟକ୍ତିଗତ ଓ ପାରିବାରିକ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଭେଟି ସେମାନଙ୍କ ଦରଖାସ୍ତ ଦେଇଥିଲେ ଏବଂ ସମସ୍ୟାର ସମାଧାନ ପାଇଁ ଭରସାଯୋଗ୍ୟ ପ୍ରତିଶ୍ରୁତି ପାଇ ଖୁସି ମନରେ ଫେରିଥିଲେ  ।