ବର୍ଡର-ଗାଭାସ୍‌କର ଟ୍ରଫି: ଭାରତକୁ ଆହତ ସମସ୍ୟା

ବର୍ଡର-ଗାଭାସ୍‌କର ଟ୍ରଫି: ଭାରତକୁ ଆହତ ସମସ୍ୟା


ନୂଆଦିଲ୍ଲୀ: ବହୁ ପ୍ରତିକ୍ଷୀତ ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଭାରତକୁ ଲାଗିଛି ଝଟକା । ଆହତ ସମସ୍ୟା ଦଳ ପାଇଁ ଚିନ୍ତା ବଢାଇଦେଇଛି । ଏବେ ଦଳର ନିର୍ଭରଯୋଗ୍ୟ ବ୍ୟାଟର ଶୁବମାନ ଗିଲ ଆହତ ହୋଇଛନ୍ତି । ଶନିବାର ଭାରତ ‘ଏ’ ଦଳ ବିପକ୍ଷରେ ଅଭ୍ୟାସ ମ୍ୟାଚ୍‌ ସମୟରେ ସ୍ଲିପରେ ଫିଲ୍ଡିଂ କରୁଥିବାବେଳେ ଯୁବ ବ୍ୟାଟର ଶୁବମନ ଗିଲ୍‌ ଆହତ ହୋଇଛନ୍ତି । କ୍ଷେତ୍ରରକ୍ଷଣ ବେଳେ ଗିଲଙ୍କ ବାମ ହାତ ବୁଢ଼ା ଆଙ୍ଗୁଳିରେ ଆଘାତ ଲାଗିଥିଲା । ଏହାପରେ ସେ ପଡ଼ିଆ ଛାଡ଼ିଥିଲେ, ଆଉ ଖେଳିବାକୁ ମଧ୍ୟ ଫେରିନଥିଲେ । ଏକ୍ସ-ରେ ପରେ ତାଙ୍କ ଆଙ୍ଗୁଳି ଭାଙ୍ଗି ଯାଇଥିବା ସ୍ପଷ୍ଟ ହୋଇଛି । ଆସନ୍ତା ପ୍ରାୟ ୧୪ ଦିନ ପର୍ଯ୍ୟନ୍ତ ସେ ଖଳିପାରିବେ ନାହିଁ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ୨୨ ତାରିଖରୁ ପର୍ଥରେ ଆରମ୍ଭ ହେବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍‌ ସେ ଖେଳିବା ସମ୍ଭବପର ନୁହେଁ । ତେବେ  ଦ୍ୱିତୀୟ ଟେଷ୍ଟ ପୂର୍ବରୁ ସେ ଫିଟ ହୋିଯିବେ ବୋଲି ବିସିସିଆଇ ସୂତ୍ରରୁ ପ୍ରକାଶ । ହେଲେ ଏନେଇ ବିସିସିଆଇ ପକ୍ଷରୁ ଆନୁଷ୍ଠାନିକ ଭାବରେ କିଛି ଘୋଷଣା ହୋଇନାହିଁ ।ଏହି ଅଭ୍ୟାସ ମ୍ୟାଚରେ ପ୍ରସିଦ୍ଧ କ୍ରିଷ୍ଣା ବୋଲିଂ କରୁଥିବାବେଳେ ଏକ ବଲ୍‌ କେଏଲ୍‌ ରାହୁଲଙ୍କ କହୁଣୀରେ ବାଜିବାରୁ ସେ ମଧ୍ୟ ମ୍ୟାଚ୍‌ ଅଧାରୁ ପଡ଼ିଆ ଛାଡ଼ିଥିଲେ । ତେବେ ଆଜି ରାହୁଲ ପୁଣିଥରେ ଅଭ୍ୟାସକୁ ଫେରିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଅଧିନାୟକ ରୋହିତ ଶର୍ମା ପତ୍ନୀଙ୍କ ସନ୍ତାନ ଜନ୍ମ ପାଇଁ ଦଳ ସହ ଅଷ୍ଟ୍ରେଲିଆ ଗସ୍ତ କରିନାହାନ୍ତି । ତେଣୁ ଜୟସ୍ୱାଲଙ୍କ ସହ ଗିଲ୍‌ ପାଳି ଆରମ୍ଭ କରିବେ ବୋଲି କୁହାଯାଉଥିଲା । ଏଭଳି ସ୍ଥିତିରେ ସେ ଆହତ ହେବା ଦଳକୁ ଅଡ଼ୁଆରେ ପକାଇଛି ।