ରାହାସ ପୂର୍ଣ୍ଣିମାରେ ମନ୍ଦିରରେ ଭକ୍ତଙ୍କ ଭିଡ
କପ୍ତିପଦା: ପବିତ୍ର ରାହାସ ପୂର୍ଣ୍ଣିମା ଉପଲକ୍ଷେ ସୋନ ନଦୀରେ ଡ଼ଙ୍ଗା ଭସାଇବା ପାଇଁ ଲୋକମାନେ ସମବେତ ହୋଇଥିବାବେଳେ ମନ୍ଦିରମାନଙ୍କରେ ମଧ୍ୟ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ବଡ଼ିଭୋରରେ ଲୋକମାନେ ଧର୍ମ ଅର୍ଜନ କରିବା ପାଇଁ ସୋନ ନଦୀ କୂଳରେ ବାଲୁକା ପୂଜା ସ୍ଥାପନା କରିବା ସହ ରଙ୍ଗବେରଙ୍ଗର ଡ଼ଙ୍ଗାମାନ ଭସାଇଛନ୍ତି । ପୂର୍ବପୁରୁଷଙ୍କ ନୌବାଣିଜ୍ୟକୁ ମନେ ପକାଇବା ତଥା ମହାକାର୍ତ୍ତିକରେ ନଦୀରେ ମହାବୁଡ଼ ଦେଇ ଡ଼ଙ୍ଗା ଭସାଇଲେ ମହାପାତକ ନାଶ ହୁଏ ବୋଲି ଧର୍ମୀୟ ବିଶ୍ୱାସକୁ ଆଧାର କରି ଲୋକମାନେ ଏହାକୁ ପାଳନ କରିଛନ୍ତି । କାର୍ତ୍ତିକ ମାସର ହବିଷ୍ୟାଳିଙ୍କ ବ୍ରତ ଉଦ୍ୟାପନ ପାଇଁ ଚଉରା ମୂଳରେ ରଙ୍ଗବେରଙ୍ଗର ମୁରୁଜ ପକାଇ ମା’ ବୃନ୍ଦାବତୀଙ୍କ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ କପ୍ତିପଦାରେ ଥିବା ଦଧିବାମନ ଜୀଉ ମନ୍ଦିର, ଶୈବପୀଠ ଝିଙ୍କେଶ୍ୱର, ଯଜେ୍ଞଶ୍ୱର, ଆଖଣ୍ଡଳେଶ୍ୱର, ମା’ ଚଣ୍ଡୀ ମନ୍ଦିର ଏବଂ ବିଭିନ୍ନ ଗ୍ରାମରେ ଥିବା ମନ୍ଦିରମାନଙ୍କରେ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା । ମନ୍ଦିରମାନଙ୍କୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିବାବେଳେ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଝିଙ୍କେଶ୍ୱର ପୀଠରେ ଆଜି ଠାରୁ ୧୫ଦିନ ବ୍ୟାପୀ ସନ୍ଧ୍ୟାରେ ବାଳକ ଭୋଜନ ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କପ୍ତିପଦା ଦଧିବାମନ ଜୀଉ ମନ୍ଦିରରେ କାର୍ତ୍ତିକ ବ୍ରତ ଉଦ୍ୟାପନ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆସୁଥିବା ହବିଷ୍ୟାଳୀମାନେ ସୋନ ନଦୀରେ ବାଲୁକା ପୂଜା କରିବା ପରେ ମନ୍ଦିରରେ ସମବେତ ହୋଇ ବୃନ୍ଦାବତୀ ପୂଜା, ଆକାଶ ଦୀପ ପ୍ରଜ୍ଜ୍ୱଳନ, ଶ୍ରୀଜୀଉଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ । ଶ୍ରୀଜୀଉଙ୍କ ବେଶ ଦେଖିବା ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା ।