ସୀମାନ୍ତରେ ଜଣେ ମାଓବାଦୀ ଗିରଫ, ବିସ୍ଫୋରକ ସାମଗ୍ରୀ ଜବତ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ଚାଲିଥିବା ନକ୍ସଲ ବିଲୋପ ଅଭିଯାନ ମାଧ୍ୟମରେ ତଲାସି ଅଭିଯାନ ବେଳେ ଯବାନଙ୍କ ଦ୍ୱାରା ଜଣେ ମାଓବାଦୀ ଗିରଫ ହୋଇଥିଲେ । ସୂଚନା ଅନୁଯାୟୀ ସୁକୁମା ଜିଲ୍ଲାର ଗାଦିରାସ ପୁଲିସ ଷ୍ଟେସନରୁ ଜିଲ୍ଲା ବାହିନୀର ଏକ ଦଳ ଜିରାମପାଲ ଏବଂ ଏହାର ଆଖପାଖ ଅଞ୍ଚଳକୁ ନକ୍ସଲ ମାନଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ତଲାସି ଅଭିଯାନ ନିମନ୍ତେ ବାହାରିଥିଲେ । ଏହି ଅଭିଯାନ ସମୟରେ ଚିନ୍ନାପାର ଜିରାମପାଲ ଜଙ୍ଗଲରେ ସୁରକ୍ଷା ବାହିନୀ ଦ୍ୱାରା ତଲାସି ଅଭିଯାନ ବେଳେ ଜଙ୍ଗଲ ମଧ୍ୟରେ କିଛି ବ୍ୟକ୍ତି ଯବାନଙ୍କୁ ଦେଖି ଦଉଡିବା ଆରମ୍ଭ କରିଥିବାରୁ ସେମାନଙ୍କ ଉପରେ ସନେ୍ଧହ କରି ଯବାନମାନେ ସେମାନଙ୍କୁ କାବୁ କରିବା ପାଇଁ ପ୍ରୟାସ କରିଥିଲେ । ଯବାନମାନେ ଜଣଙ୍କୁ କାବୁ କରିଥିବାବେଳେ ଆଉ ଜଣେ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ତାଙ୍କ ନିକଟରୁ ଯବାନମାନେ ୫ଟି ଜେଲାଟିନ୍ ରଡ୍, ୪ଟି ଇଲେକ୍ଟ୍ରିକ୍ ଡିଟୋନେଟର, କର୍ଡେକ୍ସ ତାର ପ୍ରାୟ, ଟିଫିନ୍, ନକ୍ସଲ୍ ପୋଷ୍ଟର ଆଦି ଜବତ କରି ମାଓବାଦୀ କାୱାସୀ ଯୋଗାକୁ ଗିରଫ କରିଥିଲେ ।