ସଂରକ୍ଷିତ ଜଙ୍ଗଲରେ ଗଛ କାଟିବାକୁ ଅନୁମତି ଦେଇ ବିବାଦରେ ଡିଏଫଓ

କେନ୍ଦୁଝର: ସଂରକ୍ଷିତ ଜଙ୍ଗଲରେ ଗଛ କାଟିବାକୁ ଅନୁମତି ଦେଇ ବିବାଦକୁ ଆସିଛନ୍ତି କେନ୍ଦୁଝର ବନଖଣ୍ଡ ଡିଏଫଓ ଧନରାଜ ଏଚ୍ଡି । ପୂର୍ବରୁ ଚମ୍ପୁଆ ରେଞ୍ଜ କାଳିକାପ୍ରସାଦ ବିଟ୍ ଅନ୍ତର୍ଗତ କୃଷ୍ଣପୁର ସଂରକ୍ଷିତ ଜଙ୍ଗଲରେ ୨୫୦୫ ଟି ୟୁକାଲିପଟାସ ଗଛ କାଟିବାକୁ ଅନୁମତି ଦେଇଥିଲେ । ଗଛ କାଟିବା କାମରେ କୃଷ୍ଣପୁର ବନ ସୁରକ୍ଷା ସମିତ ସଦସ୍ୟମାନେ ସଂଖ୍ୟାଲଘୁ କାଠ ମାଫିଆମାନଙ୍କୁ ନିୟୋଜିତ କରିଥିଲେ । ବନ ବିଭାଗ ଗଛ କାଟିବା ସମୟରେ ତଦାରଖ ନ କରିବାରୁ କାଠ ମାଫିଆମାନେ ଅନୁମତି ଠାରୁ ୩ ହଜାର ଅଧିକ ଗଛ କାଟି ନେଇଥିଲେ । 
ସ୍ଥାନୀୟ ଗ୍ରାମବାସୀଙ୍କ ବିରୋଧ ପରେ କଟା ଗଛର ମୂଳ ଗଣତି ହୋଇଥିଲା । ଅଧାଗଣତି ପରେ ଗଣତି କାମ ବନ୍ଦ କରି ଦିଆଯାଇଥିଲା । ଯାହାକୁ ନେଇ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ ଏବଂ ଜଙ୍ଗଲ ପରିବେଶ ବିଭାଗ ମନ୍ତ୍ରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାରେ ଜଙ୍ଗଲ ପରିବେଶ ବିଭାଗ ମନ୍ତ୍ରୀ ଗଣେଷ ରାମ ସିଂ ଖୁଂଟିଆ ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେ । କୃଷ୍ଣପୁର ସଂରକ୍ଷିତ ଜଙ୍ଗଲରେ ବେଆଇନ ଗଛ କଟା ଘଟଣାରେ ବନ ସୁରକ୍ଷା ସମିତିର ୧୩ ଜଣ ସଦସ୍ୟଙ୍କ ନାମରେ ମାମଲା ରୁଜୁ ହୋଇଥିବାବେଳେ ଦାୟିତ୍ୱରେ ଅବହେଳା କରିଥିବା ବନ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କ ବିରୁଦ୍ଧରେ ଅଦ୍ୟାବଧି ପଦକ୍ଷେପ ନିଆଯାଇନଥିବାରୁ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଛି । ଚମ୍ପୁଆ ରେଞ୍ଜରେ ଏହି ଘଟଣାର ପୂର୍ଣ୍ଣଚ୍ଛେଦ ପଡିନଥିବାବେଳେ ପୁଣି ଏକ ସଂରକ୍ଷିତ ଜଙ୍ଗଲରେ ଗଛ କାଟିବାକୁ ଅନୁମତି ଦେଇ ବିବାଦକୁ ଆସିଛନ୍ତି କେନ୍ଦୁଝର ବନଖଣ୍ଡ ଡିଏଫଓ । ପୂର୍ବରୁ ଦିଆଯାଇଥିବା ଅନୁମତି ଭଳି ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ ଲକ୍ଷ୍ମୀପଶି ବିଟ୍ ଅନ୍ତର୍ଗତ ଲକ୍ଷ୍ମୀପଶି ସଂରକ୍ଷିତ ଜଙ୍ଗଲରେ ୨୦୦୦ ୟୁକାଲିପଟାସ ଗଛ କାଟିବାକୁ ଅନୁମତି ପ୍ରଦାନ କରିଛନ୍ତି । ପବନ ଏବଂ ବର୍ଷାରେ ବହୁ ସଂଖ୍ୟାରେ ଗଛ ପଡିଥିବା ନେଇ ଲକ୍ଷ୍ମୀପଶି ବନ ସୁରକ୍ଷା ସମିତି ପକ୍ଷରୁ ଡିଏଫଓଙ୍କୁ ଅବଗତ କରାଯାଇ ଉକ୍ତ ଗଛ କାଟିବାକୁ ଅନୁମତି ମାଗିଥିଲେ । ଯାହାର ସଠିକ୍ ତଦନ୍ତ ନ କରାଯାଇ ଉକ୍ତ ଆବେଦନ ପତ୍ରକୁ ଗ୍ରହଣ କରି ଡିଏଫଓ ତୁରନ୍ତ ୨୦୦୦ ୟୁକାଲିପଟାସ ଗଛ କାଟିବାକୁ ଅନୁମତି ପ୍ରଦାନ କରିଛନ୍ତି । ଏହିପରି ଭାବେ ଖୋଦ ବନ ବିଭାଗ ଯଦି ରକ୍ଷକ ହୋଇ ଭକ୍ଷକ ହେବ ତେବେ ଖୁବ କମ ଦିନରେ ସଂରକ୍ଷିତ ଜଙ୍ଗଲରେ ଥିବା ୟୁକାଲିପଟାସ ଏବଂ ଆକାଶିଆ ଗଛ ଲୋପ ପାଇବ । ଗ୍ରାମ୍ୟ ଜଙ୍ଗଲ,ସରକାରୀ ଜମି ଏବଂ ବ୍ୟକ୍ତିଗତ ମାଲିକାନାରେ ଥିବା ୟୁକାଲିପଟାସ ଏବଂ ଆକାଶିଆ ଗଛକୁ କାଠ ମାଫିଆ କାଟିନେବା ପରେ ଏବେ ସେମାନଙ୍କର ଲୋଲୁପ ଦୃଷ୍ଟି ପଡିଛି ଜଙ୍ଗଲରେ ଥିବା ଏହି ପ୍ରଜାତିର ଗଛ ଉପରେ । ବନ ବିଭାଗ ମଧ୍ୟ ଏହି କାର୍ଯ୍ୟକୁ ପ୍ରୋସôାହନ ଦେଇ ଅନୁମତି ପ୍ରଦାନ କରୁଛି । ବନବିଭାଗ ସଂରକ୍ଷିତ ଜଙ୍ଗଲରେ ୟୁକାଲିପଟାସ ଗଛ କାଟିବାକୁ ଅନୁମତି ପ୍ରଦାନ କରୁଥିବାରୁ ବନ ବିଭାଗ,ସଂଖ୍ୟାଲଘୁ କାଠ ମାପିଆ, ବନ ସୁରକ୍ଷା ସମିତି ସଦସ୍ୟଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବାରୁ ଏହି କାରବାର ଅବାଧରେ ଚାଲୁଥିବା ଗ୍ରାମବାସୀମାନେ ସନେ୍ଦହ କରୁଛନ୍ତି । ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ଗଛ କାଟିବାକୁ ଅନୁମତି ଦେଉଥିବାରୁ ପରିବେଶ ଏବଂ ଜଳବାୟୁ ଉପରେ ଏହାରକୁ ପ୍ରଭାବ ପଡୁଛି । କାହା ଚାପରେ ସଂରକ୍ଷିତ ଜଙ୍ଗଲରେ ଗଛ କାଟିବାକୁ କେନ୍ଦୁଝର ବନଖଣ୍ଡ ଡିଏଫଓ ଧନରାଜ ଏଚ୍ଡି ଅନୁମତି ଦେଉଛନ୍ତି ତାହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି ।