ଗଳାବାଟ ବନ୍ଦ କରିବାରୁ ପ୍ରଶାସନକୁ ବିରୋଧ
ଜଟଣୀ: ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ଅନ୍ତର୍ଗତ ରେଳ ପ୍ରଶାସନ ପକ୍ଷରୁ ନିଜ ସୀମା ଉପରେ ଥିବା ଏକ ଗଳା ବାଟ ବନ୍ଦ କରିବା ପାଇଁ ରେଳ ନିର୍ମାଣ ବିଭାଗ ପକ୍ଷରୁ କାର୍ଯ୍ୟ ଆରମ୍ଭ ହେଉଥିବା ବେଳେ, ବହୁ ସୁବିଧାବାଦୀ ନେତା ଓ ଜନସାଧାରଣ ଏହି କାର୍ଯ୍ୟକୁ ବିରୋଧ କରିବାରୁ ସାମୟିକ ଭାବେ ପାଚେରି କାର୍ଯ୍ୟ ବନ୍ଦ ହୋଇଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଗୋପବନ୍ଧୁ ପାର୍କ ଓ ଅସ୍ଥାୟୀ କୋର୍ଟକୁ ଲାଗି ରାଜ୍ୟ ସରକାରଙ୍କ ଏକ ଅଂଶ ରହିଛି, ଏହି ଗଳି ଅଂଶକୁ ଲାଗି ରେଳ ପ୍ରଶାସନର ଜମି ରହିଥିବା ବେଳେ, ସେହିଠାରୁ ଧାଡ଼ିକିଆ କ୍ୱାଟର ଓ କିଛିବାଟ ଗଲାପରେ ମଣ୍ଡଳ ରେଳ କାର୍ଯ୍ୟାଳୟ ଓ କିଛି ଆଗରେ ରେଳ ଷ୍ଟେସନ ରହିଛି । ନିହାତି ଆବଶ୍ୟକ ସମୟରେ ଗମନାଗମନ ପାଇଁ ଏହି ଗଳି ରାସ୍ତା ଥିବା ବେଳେ, ଓଭରବ୍ରିଜ ନିର୍ମାଣ ହେବା ପରେ ରେଳ ପ୍ରଶାସନ ଦୁର୍ଘଟଣାକୁ ଏଡାଇବା ପାଇଁ ଗଳି ଆରମ୍ଭରେ ମୋଟରସାଇକଲ୍ ଯିବା ଆସିବା ପାଇଁ ଯେତିକି ଦରକାର ସେତିକି ଛୋଟ ଛୋଟ ଲୁହାଖମ୍ବ ପୋତି କେବଳ ପଥଚାରୀଙ୍କ ପାଇଁ ଗଳି ରଖିଥିଲେ । ସୁବିଧାବାଦି ଲୋକମାନେ ଦିନ ରାତି ରାସ୍ତାରେ ମାଳମାଳ ଗାଡ଼ି ମୋଟର ନେବା ଆଣିବା ଦ୍ୱାରା କ୍ୱାଟରରେ ରହୁଥିବା ରେଳ କର୍ମଚାରୀମାନେ ଅସୁରକ୍ଷିତ ମନେ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ରେଳ ପ୍ରଶାସନ ଗଳିକୁ ସବୁଦିନ ପାଇଁ ବନ୍ଦ କରିଦେବା ପାଇଁ ନିଷ୍ପତ୍ତି ନେଇ ସୋମବାର କାର୍ଯ୍ୟ ଆରମ୍ଭ କରୁଥିବା ସମୟରେ ବିରୋଧ କରାଯାଇଥିଲା । ଅପରପକ୍ଷେ ଏ ନେଇ ଖୋର୍ଦ୍ଧାରୋଡ଼ ଡିଭିଜନ ସିନିୟର ଡିଏନ୍ଏ କହିଛନ୍ତି ସ୍ଥାନୀୟ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେବଳ ପଥଚାରୀଙ୍କ ପାଇଁ ଏକ ଗେଟ ସ୍ଥାପନ କରାଯିବ ।
 
 Rasmita Behera
                                    Rasmita Behera                                 
    
 
    
 
 
 
