ସାଇବର ଠକେଇ ମାମଲାରେ ୨ସାଇବର ଅପରାଧୀ ଗିରଫ
କୋଷାଗୁମୁଡା: ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ପୋଲିସକୁ ମିଳିଛି ଏକ ବଡ ସଫଳତା । ଏକ ସାଇବର ଠକେଇ ମାମଲାରେ ୨ସାଇବର ଅପରାଧୀକୁ ଗତକାଲି ଭୁବନେଶ୍ୱରରୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା କୋଷାଗୁମୁଡ଼ା ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି । ଦୁଇ ଅଭିଯୁକ୍ତ ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ସତ୍ୟସାଇ ଜେନାମଣି(୨୭) ଓ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଜବାଗୁଡ଼ା ଗ୍ରାମର ହିରାଲାଲ ଭତ୍ରା(୨୭) । ମିଳିଥିବା ସୂଚନା ଅନୁଯାୟୀ କୋଡ଼ିଙ୍ଗା ଗ୍ରାମର ମହମ୍ମଦ ରୋଜି ଗତ ଜୁଲାଇ ୬ତାରିଖରେ ନିଜର ଇଲେକ୍ଟ୍ରିକାଲ ଦୋକାନରେ ବସିଥିବା ସମୟରେ ହଠାତ୍ ମୋବାଇଲଟି ଟିକିଏ ହେଙ୍ଗ ହୋଇଯାଇଥିଲା । ପରବର୍ତ୍ତୀ ସମୟରେ ମୋବାଇଲ କୌଣସି ପ୍ରକାର ବ୍ୟବହାର ନ ହୋଇ ଓଟିପି କିମ୍ବା କୌଣସି ମେସେଜ ନ ଆସି ୯୯୦୦୦ଟଙ୍କା ଆକ୍ସିସ ବ୍ୟାଙ୍କ ଆକାଉଣ୍ଟରୁ ଉଭାନ ହୋଇଯାଇଥିଲା । ଏନେଇ ସେ ପେ ଫୋନରେ ଆକାଉଣ୍ଟ ବଳକା ଟଙ୍କା ଦେଖିଲା ବେଳକୁ ଆକାଉଣ୍ଟରେ ୯୯ହଜାର ଟଙ୍କା କଟାଯାଇଥିବା ଜାଣି ବ୍ୟାଙ୍କ କର୍ତ୍ତୃପକ୍ଷ ଯୋଗାଯୋଗ କରିଥିଲେ । ଟଙ୍କା ଠକେଇ ହୋଇଥିବା ଜାଣି ମହମ୍ମଦ ରୋଜି ସାଇବର କ୍ରାଇମ ନମ୍ବର୍ କୁ ଯୋଗାଯୋଗ କରିବା ସହ କୋଡିଙ୍ଗା ଥାନାରେ ଏକ ଏତଲା ଦାୟର କରିଥିଲେ । କୋଡିଙ୍ଗା ଥାନା ଅଧିକାରୀଙ୍କ ଅନୁପସ୍ଥିତିରେ କୋଷାଗୁମୁଡ଼ା ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ଏତଲାକୁ ଭିତ୍ତି କରି ୧୨୬/୨୪ରେ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଥିଲେ । ପ୍ରଥମେ ଆକାଉଣ୍ଟ ଓ ମୋବାଇଲ ନମ୍ବରକୁ ଟ୍ରାକ କରାଯାଇ ୨ଆସମୀଙ୍କୁ ଠାବ କରିବାରେ ପୋଲିସ ସକ୍ଷମ ହୋଇଥିଲା । ଗତକାଲି ରାତିରେ ଭୁବନେଶ୍ୱରରୁ ୨ଆସାମୀକୁ ଗିରଫ କରିବା ସହ ୩ମୋବାଇଲ ଫୋନ ଜବତ କରି ଆଜି କୋର୍ଟ ଚାଲାଣ କରିଥିବା କୋଷାଗୁମୁଡ଼ା ଥାନାଧିକାରୀ ତଥା ତଦନ୍ତକାରୀ ଅଫିସର ଶ୍ରୀ ନାୟକ ସୂଚନା ଦେଇଥିଲେ ।