ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରୀଙ୍କୁ ସମ୍ୱର୍ଦ୍ଧନା
ଢେଙ୍କାନାଳ: ଢେଙ୍କାନାଳ ସହର ଉପକଣ୍ଠ ମଙ୍ଗଳପୁର ସ୍ଥିତ ଇ-ଟେକ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଓଡିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ସଫଳତା ହାସଲ କରିଥିବା ଅନୁଷ୍ଠାନର ଦୁଇ ପ୍ରାକ୍ତନ ଛାତ୍ରୀ ସୁଶ୍ରୀ ନିବେଦିତା ରାଉତ ଏବଂ ସୁଶ୍ରୀ ସରିତା ସୁଚରିତାଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଡ.ସୁରେଶ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଢେଙ୍କାନାଳର ଉପଜିଲ୍ଲାପାଳ ବିବୁଧ ଗଡ଼ନାୟକ ଓ ଡେପୁଟି କଲେକ୍ଟର୍ ସୌଦାମିନୀ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀମାନେ ମୂଲ୍ୟବୋଧ ଭିଭିକ ଆଦର୍ଶ ବିଚାରଧାରାରେ ବିଶ୍ୱାସ ରଖିଲେ ବ୍ୟକ୍ତିତ୍ୱ ବଳିଷ୍ଠ ହୋଇପାରିବ ଏବଂ ସମାଜ ପାଇଁ ଜଣେ ଜଣେ ଉତ୍ତମ ମଣିଷ ହୋଇପାରିବେ ବୋଲି ମତପ୍ରକାଶ କରିଥିଲେ । ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକ୍ ଅନ୍ତର୍ଗତ ସିମିନଇ ଗ୍ରାମର ଛାତ୍ରୀ ନିବେଦିତା ରାଉତ ୧୬୬ ତମ ସ୍ଥାନ ହାସଲ କରିଥିବା ବେଳେ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ବରନାଳୀ ଗ୍ରାମର ଛାତ୍ରୀ ସରିତା ସୁଚରିତା ୩୭୯ ତମ ସ୍ଥାନ ହାସଲ କରି ଅନୁଷ୍ଠାନକୁ ଗୌରବାନ୍ୱିତ କରିଛନ୍ତି । ସେମାନଙ୍କୁ ମାନପତ୍ର, ଟ୍ରଫି, ଉତ୍ତରୀୟ ସହ ନଗଦ ଅର୍ଥ ରାଶି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମାରୋହରେ ବିଦ୍ୟାଳୟର ଉପାଧ୍ୟକ୍ଷ ଅନିଲ୍ କୁମାର ଗୋଚ୍ଛାୟତ, ପଦାର୍ଥ ବିଜ୍ଞାନର ବରିଷ୍ଠ ଅଧ୍ୟାପକ ସହଦେବ ପ୍ରଧାନ ଏବଂ ଅନ୍ୟ ଅଧ୍ୟାପକଅଧ୍ୟାପିକାଙ୍କ ସହ ସମସ୍ତ କର୍ମଚାରୀମାନେ ଯୋଗ ଦେଇଥିଲେ ।