୨୮ ଚୋରା ବାଇକ୍ ସହ ୨ ଗିରଫ

 ସମ୍ବଲପୁର: ସମ୍ବଲପୁର ସହରର ଅଇଁଠାପାଲି ଥାନା ପୁଲିସ ଏକ ସ୍କୁଟି ଚୋରି ମାମଲାର ତଦନ୍ତ କରୁଥିବା ସମୟରେ ଦୁଇ ଜଣ ଅଭିଯୁକ୍ତଙ୍କ ଠାରୁ ୨୮ଟି ଚୋରା ବାଇକ୍ ଜବତ କରିବାରେ ସକ୍ଷମ ହୋଇଛି । 
ପ୍ରକାଶ ଯେ, ଗତ ୯ ତାରିଖ ଥାନା ଅନ୍ତର୍ଗତ ଜଗନ୍ନାଥ ମନ୍ଦିର କଲୋନୀର ଧୀରଜ ପୂଜାରୀଙ୍କ ଏକ ସ୍କୁଟି ଅପରାହ୍ଣ ସମୟରେ କଲୋନୀର ପାର୍କ ସାମ୍ନାରୁ ଚୋରି ହୋଇଥିଲା । ଗତକାଲି ପୂର୍ବାହ୍ଣରେ ଥାନାର ଏସ୍ଆଇ ତଥା ମାମଲାର ଆଇଓ  ନୀଳଦ୍ରିଚରଣ ବିଶ୍ୱାଳ କୌଣସି ସୂତ୍ରରୁ ଖବର ପାଇ ଅଇଁଠାପାଲି ବସ୍ଷ୍ଟାଣ୍ଡ ପାଖରେ ଉକ୍ତ ସ୍କୁଟିରେ ଯାଉଥିବା ୨ ଜଣଙ୍କୁ ଠାବ କରିଥିଲେ । ଅନୁସନ୍ଧାନ କ୍ରମେ ଏମାନେ ସମ୍ବଲପୁର ଟାଉନ, ବୌଦ୍ଧ ଓ ସୋନପୁର ଜିଲ୍ଲାର ବିଭିନ୍ନ ଥାନା ଇଲାକାରୁ ବାଇକ୍ ଚୋରି କରୁଥିଲେ । ଏହି ବାଇକ୍ଗୁଡ଼ିକୁ ଜିଲ୍ଲାର ଯୁଯୋମୁରା ଥାନା ଜରାଙ୍ଗ ଜଙ୍ଗଲରେ ଲୁଚାଇ ରଖିଥିଲେ । ଦୁଇ ଅଭିଯୁକ୍ତ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନାର ରାମୁ ପଣ୍ଡା (୩୨) ଏବଂ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳର ସାର୍ଦୁଲ ଗାଇଗୋରିଆ (୩୯) ଚୋରା ବାଇକ୍ ବିକ୍ରି କରିବା ପାଇଁ ଗ୍ରାହକ ଖୋଜୁଥିବା ବେଳେ ପୁଲିସକୁ ଏହି ବାଇକ୍ ଲୁଚାଇ ରଖିଥିବା ସମ୍ପର୍କରେ ସୂଚନା ଦେଇଥିଲେ । ଥାନା ଇନ୍ସପେକ୍ଟର ପ୍ରଦୁ୍ୟମ୍ନ ସାହୁ, ସୁବ୍ରତ ପାଣିଗ୍ରାହୀ, ଧମାର ଅଭିନବ ମିଶ୍ର, ବରେଇପାଲିର ସଂଜୟ କୁମାର ରାଉତରାୟ ପ୍ରମୁଖଙ୍କୁ  ନେଇ ଗଠିତ ଟିମ୍ ଏହି ମାମଲାର ପର୍ଦ୍ଦାଫାଶ କରିଥିଲେ । ଏହି ଦୁଇ ଅଭିଯୁକ୍ତଙ୍କ ଠାରୁ ଉଦ୍ଧାର ବାଇକ୍ ମଧ୍ୟରେ ପୁରୀ, ବରଗଡ଼, ଅନୁଗୁଳ ଏବଂ ଗୁଜୁରାଟର ବରୋଦାର ନମ୍ବର ଥିବା ବାଇକ୍ ମଧ୍ୟ ରହିଛି ।