କଲଭର୍ଟରେ ପିଟି ହେଲା ବାଇକ୍; ୨ ମୃତ, ୨ଗୁରୁତର

ବାଲେଶ୍ୱର ସଦର ଥାନା ଗୁଜୁରି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ଟି ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ କାସିମାବାଦର ବାପି ମୁର୍ମୁ ଓ ବିକାଶ ମୁର୍ମୁ। ଆହତମାନେ ହେଲେ କରଞ୍ଜିଆର ଅନନ୍ତ ମାଝୀ ଓ ବଡ଼ ସିନ୍ଧିଆର ରାମ ମାଝୀ। ଏକ ବାଇକ୍‌ରେ ୪ ଜଣ ଯିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହୋଇଯାଇଥିଲା। ବାଇକ ଆରୋହୀମାନେ ତଳେ ଛିଟିକି ପଡ଼ିଯାଇଥିଲେ।  ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପକ୍ଷରେ ମୃତକଙ୍କ ବ୍ୟାଗରୁ କଟୁରି, ଭୁଜାଲି ଜବତ କରାଯାଇଛି। ଯାହାକୁ ନେଇ ପୁଲିସର ସନ୍ଦେହ ବଢ଼ିଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।