ବାଲିଯାତ୍ରାରେ କମିଶନରେଟ ପୁଲିସର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନବାଚୀ
କଟକ: ଐତିହାସିକ ବାଲିଯାତ୍ରାରେ କମିଶନରେଟ ପୁଲିସର କାର୍ଯ୍ୟଧାରାକୁ ନେଇ ଉଠିଛି ପ୍ରଶ୍ନବାଚୀ । ବୈଷ୍ଣବ ପାଣି ମଞ୍ଚକୁ ଉଠି ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ କରିବା କମିଶନରେଟ ପୁଲିସ ପାଇଁ ବଡ ଅଡୁଆ ସାଜିଛି । ରାଜ୍ୟର ଜଣେ ଜଣାଶୁଣା କଳାକାରଙ୍କ ଶୋ’ ବନ୍ଦ କରିବା ପାଇଁ କାହିଁକି ଏତେ ତରତର ପୁଲିସ ହୋଇପଡିଲା, ଯାହାକୁ ନେଇ ବର୍ତ୍ତମାନ ମେୟର ଓ ବିଧାୟକ ପୁଲିସକୁ ସିଧା ସଳଖ ଟାର୍ଗେଟ କରିଛନ୍ତି । ସମସ୍ତଙ୍କୁ ନେଇ ଏହି ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ଅନୁଷ୍ଠିତ ହୋଇଥାଏ । କିନ୍ତୁ ଏକପାଖିଆ ନିଷ୍ପତ୍ତି କରି ଯଦି କଟକର ଐତିହ୍ୟକୁ ଭାଙ୍ଗିବାରେ ଅଛି, ତେବେ ସରକାରୀ ବାବୁ କଟକ ଛାଡି ପାରନ୍ତି ବୋଲି ବାରବାଟୀ କଟକ ବିଧାୟିକା ସୋଫିଆ ଫିଦେ୍ର୍ଦାଷ କହିଛନ୍ତି । ଅପରପକ୍ଷେ ଏହି ଘଟଣାକୁ ନେଇ କମିଶନରେଟ ପୁଲିସ ଉପରେ ବର୍ଷିଛନ୍ତି ମେୟର ସୁବାସ ସିଂହ । ବାଲିଯାତ୍ରା ଓଡିଆମାନଙ୍କର ଭାବାବେଗ ସହ ଜଡିତ । ଜଣେ ସୁନାମଧନ୍ୟ ଓଡିଆ କଣ୍ଠଶିଳ୍ପୀଙ୍କ ଅଧାଗୀତରୁ ସାଉଣ୍ଡ ବନ୍ଦ କରିବା ବାଲିଯାତ୍ରାକୁ ଉପହାସ ସଦୃଶ ହୋଇଛି ବୋଲି ଶ୍ରୀ ସିଂହ ମତବ୍ୟକ୍ତ କରିଛନ୍ତି । ପୁଲିସର ଯେଉଁ ଅଧିକାରୀ ମନମାନି କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ମେୟର ସୁବାସ ସିଂହ କହିଛନ୍ତି ।