ସକ୍ରିୟ ହେଉଛନ୍ତି ଜମି ମାଫିଆ 

 କେନ୍ଦୁଝର: କେନ୍ଦୁଝର ସଦର ତହସିଲରେ ଜମି ମାଫିଆ ସକ୍ରୀୟ ହୋଇ ବିଭିନ୍ନ ସ୍ଥାନରେ ସରକାରୀ ଜମି ମୌଖିକ ଭାବେ ବିକ୍ରି କରି ମାଲେମାଲ୍ ହେଉଥିବାବେଳେ, ସାଧାରଣ ଲୋକ ଠକାମିରେ ପଡୁଛନ୍ତି । ବିଶେଷ କରି ସଦର ଏବଂ ମଣ୍ଡୁଆ ରାଜସ୍ୱ ସର୍କଲରେ କେନ୍ଦୁଝର ସହର ଏବଂ ଆଖପାଖରେ ଥିବା ସରକାରୀ ଜମିକୁ ନିଜ କବ୍ଜାରେ ରଖି ବେଆଇନ ଭାବେ ଲୋକଙ୍କୁ ଠକି ବିକ୍ରି କରୁଛନ୍ତି । ଜବରଦଖଲ କେସ ରେକର୍ଡ କରି ଖଜଣା ପାଉତି ବାବଦକୁ ନକଲି କାଗଜପତ୍ର ଦେଇ ଲୋକଙ୍କ ଠାରୁ ମୋଟା ଅଙ୍କର ଅର୍ଥ ନେଉଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ସଦର ତସହିଲ ମଣ୍ଡୁଆ ମୌଜାର ବସନ୍ତପୁରରେ । ଅମିତ ବାରକି ପିତା ଦଶରଥ ବାରକିଙ୍କ ନାମରେ ଖାତା ନମ୍ବର ୫୧ ପ୍ଲଟ୍ ନମ୍ବର ୧ ରେ ଏ୦.୦୫ ଘର ଉଦେ୍ଦଶ୍ୟରେ ଜବରଦଖଲ ଥିବା ଦର୍ଶାଇ ଅବୈଧ ଦଖଲ କେଶ ନମ୍ବର ୪-୩୧୪/୨୦୨୩ ର ନକଲି କାଗଜପତ୍ର ଦେଇଛନ୍ତି । ଏଥିପାଇଁ ଅମିତ ବାରିକଙ୍କ ଠାରୁ ଖଜଣା ବାବଦ ୩ଟଙ୍କା ଏବଂ ଜୋରିମାନା ବାବଦ ୯୯୭ ଟଙ୍କାକୁ ମିଶାଇ ମୋଟ ୧୦୦୦ଟଙ୍କାର ସଦର ତହସିଲଦାରଙ୍କ ଦସ୍ତଖତ ଥିବା ରସିଦ ଗତ ୨୩/୦୯/୨୦୨୪ରେ ପ୍ରଦାନ କରିଛନ୍ତି । ଏହି ଘଟଣାର ଯାଞ୍ଚ ହେଲେ ଏପରି ଭାବେ କେତେ ଜଣ ଲୋକଙ୍କୁ ନକଲି କାଗଜପତ୍ର ଦେଇ ଜମି ମାଫିଆ ଠକିଛନ୍ତି ତାହା ଜଣାପଡିବ । ଏ ନେଇ ସଦର ତହସିଲଦାର ଶୁଭେନ୍ଦୁ କୁମାର ସାହୁଙ୍କ ସହ ଯୋଗାଯୋଗ କରିବାରୁ ଅଭିଯୋଗ ହେଲେ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଆଇନଗତ ପଦକ୍ଷେପ ନିଆଯିବ । ସଦର ତହସିଲ ମଣ୍ଡୁଆ ରାଜସ୍ୱ ସର୍କଲ ଘୁଟୁରୁ ହୁଡିକୁ କେତେକ ଲୋକ ମୌଖିକ ଭାବେ ବିକ୍ରି କରୁଥିବା ନେଇ ଅଭିଯୋଗ ହୋଇଛି ।
ସଦର ତହସିଲ ଖାତା ନମ୍ବର ୧୧୪ ପ୍ଲଟ୍ ନମ୍ବର ୧୯୧ ରେ ପ୍ରାୟ ୪ ଏକର ୮୮ ଡିସିମିଲ ଜମି ରହିଛି । ବିଭିନ୍ନ କିସମର ଜଙ୍ଗଲରେ ପରିଥିବା ଏହି ଜମିକୁ ତାଡି ପଥର ଚାଲାଣ କରିବା ପରେ ଏବେ କିଛି ସ୍ଥାନୀୟ ଲୋକ ଡିସିମିଲ ପିଛା ୨ଲକ୍ଷ ଟଙ୍କାରେ ପ୍ଲଟିଂ କରି ବିକ୍ରି କରୁଛନ୍ତି । ଏଭଳି ଏକ ଘଟଣାକୁ ନେଇ ଗତ କିଛି ମାସ ତଳେ ରାଜସ୍ୱ ବିଭାଗ ପକ୍ଷରୁ ନୋଟିସ କରାଯାଇ ନିର୍ମାଣ କାମ ବନ୍ଦ କରିଥିଲେ ହେଁ ତାହାକୁ ବିଭାଗ ଉଚ୍ଛେଦ ନ କରି ଫାଇଲକୁ ଚାପି ରଖିଥିବାରୁ ଏଭଳି ଜବରଦଖଲ ବଢିବାରେ ଲାଗିଛି । ଜଙ୍ଗଲର ସୁରକ୍ଷା ପାଇଁ ସରକାର ଗୁରୁତ୍ୱ ଦେଉଥିବା ବେଳେ, ଗୋଚର ଜମିରେ ଥିବା ମୂଲ୍ୟବାନ୍ ଗଛ କାଟି ବେଧଡକ ଭାବେ ମାଫିଆ ଭାବେ ବିକ୍ରି କରୁଛନ୍ତି । କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ର ୩ କିଲୋମିଟର ଦୂରରେ ଘୁଟୁରୁ ହୁଡିରେ ଥିବା ଏକର ଏକର ଗୋଚର ଜମିରେ ଗଛ କଟାଯାଇ ମୌ÷ଖିକରେ ବିକ୍ରି ଚାଲିଛି । କେନ୍ଦୁଝର ସହରରେ ଜମି ଦର ଅଧିକ ରହୁଥିବାରୁ ଏହାର ସୁଯୋଗ ନେଇ ସ୍ଥାନୀୟ କିଛି ମାଫିଆ ଭବିଷ୍ୟତରେ ପଟ୍ଟା ହେବ ବୋଲି ପ୍ରଲୋଭିତ କରି ମୂଲ୍ୟବାନ ସରକାରୀ ଜମିକୁ ମୌଖିକ ଭାବେ ଡିସିମିଲ ପ୍ରତି ୧ ଲକ୍ଷ ଟଙ୍କା ଦରରେ ବିକ୍ରି କରୁଛନ୍ତି । ଏହାର ତଦନ୍ତ କରି ଜମି ମାଫିଆଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନ ନେଲେ ଆଗାମି ଦିନର ସରକାରୀ ଜମି ରହିବା ସ୍ୱପ୍ନ ହୋଇପଡିବ ।