ପୁଣି ବାତ୍ୟା ଭୟ : ଆଜି ସୃଷ୍ଟି ହେବ ଘୂର୍ଣ୍ଣିବଳୟ!
ଭୁବନେଶ୍ୱର :ପୁଣି ଘନେଇଲାଣି ବାତ୍ୟା ଭୟ। ବଙ୍ଗୋପସାଗରରେ ଆସୁଛି ଆଉ ଏକ ବାତ୍ୟା ! ନିକଟରେ ଓଡ଼ିଶା ଉପକୂଳରେ ମାଡ ହୋଇଥିଲା ଭୀଷଣ ସାମୁଦ୍ରିକ ଝଡ ‘ଦାନା’। ତେବେ ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିଥିବାବେଳେ ଏବେ ଆଉ ଏକ ବାତ୍ୟା ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ବା IMD ।ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଜି ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଉ ପରେ ୨୨ ଓ ୨୩ ତାରିଖରେ ଏହା ଅଧିକ ଘନିଭୂତ ହୋଇପାରେ । ବର୍ତ୍ତମାନ ରାଜ୍ୟରେ ଧାନ କଟା ଆରମ୍ଭ ହୋଇସାରିଥିବା ବେଳେ ପାଣିପାଗକୁ ନେଇ ବଡ ଅପଡେଟ ସାମ୍ନାକୁ ଆସିଛି । ବଙ୍ଗୋପସାଗରରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ୨୩ ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ। ଲଘୁଚାପର ଗତି ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ରହିବ । IMD ପୂର୍ବାନୁମାନ କରିଛି ଯେ, ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହୋଇପାରେ ।ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ତାହା କ୍ରମଶ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିପାରେ । ତେବେ ଲଘୁଚାପ ସାମୁଦ୍ରିକ ଝଡ଼ର ରୂପ ନେଇପାରେ । ଶ୍ରୀଲଙ୍କା ଓ ଦକ୍ଷିଣ ଭାରତରେ ଆସନ୍ତା ସପ୍ତାହ ମଧ୍ୟ ଭାଗରେ ପ୍ରଭାବ ପକାଇବ ବୋଲି ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ ଆକଳନ କରିଛନ୍ତି। ତେବେ ପ୍ରାଥମିକ ଆକଳନ ଅନୁଯାୟୀ ଏହା ତାମିଲନାଡୁ-ଶ୍ରୀଲଙ୍କା ଉପକୂଳ ଛୁଇଁପାରେ । ଓଡ଼ିଶା ଉପରେ ଏହାର ପ୍ରଭାବ ରହିବ କି ନାହିଁ ସେ ନେଇ ଏବେ ଠାରୁ ପୂର୍ବାନୁମାନ କରାଯାଇ ନାହିଁ ।
 
 Rasmita Behera
                                    Rasmita Behera                                 
    
             
    
             
    
             
    
             
    
 
    
 
 
 
