ବିଜେପି ଅଫିସ୍‌ରେ ଅମରେଶ ଜେନା

amaresh jena

ବିଜେପି ଅଫିସ୍‌ରେ ଅମରେଶ ଜେନା

ଭୁବନେଶ୍ୱର : ଭୁବନେଶ୍ୱର ବିଜେଡ଼ିରେ ଏବେ ସବୁକିଛି ଠିକ୍‌ ଚାଲିନାହିଁ  । ଦଳରେ ବିବାଦ ତୀବ୍ର ହେବାରେ ଲାଗିଛି  । ଗୋଟିଏ ପଟେ ଅନନ୍ତ ଜେନା ଥିବାବେଳେ ତାଙ୍କୁ ଚେକ୍‌ ଦେଉଛନ୍ତି କର୍ପୋରେଟର ଅମରେଶ ଜେନା  । ଅପରପକ୍ଷରେ ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସହ କର୍ପୋରେଟର ବିରଞ୍ଚି ମହାସୁପକାରଙ୍କ ଯୁଦ୍ଧ ଚାଲିଛି  । ନିକଟରେ ଅମରେଶ ଓ ବିରଞ୍ଚିଙ୍କୁ ବିଜେଡ଼ି ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବାବେଳେ ସେମାନେ ଏହାର ଜବାବ ରଖିଛନ୍ତି  । ଉଭୟ ବିଜେଡ଼ି ଛାଡ଼ିବେ ନା ବିଜେଡ଼ି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ ତାହାକୁ ନେଇ ଚର୍ଚ୍ଚା ଚାଲିଛି  ।

ତେବେ ଅମରେଶ ଜେନାଙ୍କ ଜନ୍ମଦିନରେ ରାଜନୀତିକ ମହଲକୁ ନୂଆ ବାର୍ତ୍ତା ଯାଇଛି  । ତାଙ୍କୁ ବିଜେପି ଅଫିସରେ ଦେଖିବାକୁ ମିଳିଛି  । ଅବଶ୍ୟ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନୁହେଁ  । ସ୍ୱାଧୀନ କର୍ପୋରେଟର ବନ୍ଦିତା ପାଲଙ୍କ ଅଫିସ୍‌ କାର୍ଯ୍ୟାଳୟରେ ଅମରେଶ କେକ୍‌ କାଟିଛନ୍ତି  । ବନ୍ଦିତା ଓ ତାଙ୍କ ସ୍ୱାମୀ ଅର୍ଜୁନ ବେହେରା ବିଜେପିରେ ମିଶିଛନ୍ତି  । ତାଙ୍କ କର୍ପୋରେଟର ଅଫିସରେ ଜଗନ୍ନାଥ ପ୍ରଧାନ, ମୋହନ ଚରଣ ମାଝୀ, ପଦ୍ମ ଚିହ୍ନରେ ବ୍ୟାନର ବି ଲାଗିଛି  । ଅମରେଶ ଏଭଳି କରି କିଛି ଚାପ ସୃଷ୍ଟି କରିବାକୁ ଚାହୁଁଛନ୍ତି ନା ଆଗାମୀ ଦିନରେ ସେ ବିଜେପିକୁ ମୁହାଁଇବେ ତାହା ଦେଖିବାକୁ ବାକି ରହିଲା  ।