କୋଇଲା ଚାଲାଣ ଉପରେ ଏସପିଙ୍କ ଚଢାଉ, ୩୫୪ କ୍ୱିଣ୍ଟାଲ କୋଇଲା ଜବତ
ତିହିଡ଼ି: ଚଳନ୍ତା ରେଳରୁ କୋଇଲା କାଢ଼ିବା ସମ୍ପ୍ରତି ଭଦ୍ରକ ଜିଲାରେ ଏକ ସାମାଜିକ ବ୍ୟାଧି ସାଜିଛି । ଏହି କୋଇଲାକୁ ଶାଗମାଛ ଦରରେ ମାଫିଆମାନେ କିଣି ଚଢ଼ା ଦରରେ ବାହାକୁ ଚାଲାଣ କରିଥାନ୍ତି । ଯାହାକୁ ନେଇ ଦିନକୁ ଦିନ ଏହି କାରବାର ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବା ପାଇଁ ବିଭିନ୍ନ ପ୍ରକାରର ଉଦ୍ୟମ ଜାରି ରହୁଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ କୌଣସି କଟକଣା ନଥିବାରୁ ତାହା ସମ୍ଭବ ହୋଇ ପାରୁନାହିଁ । ଦୈନିକ ଟନ୍ ଟନ୍ ଚୋରା କୋଇଲା ବାହାରକୁ ଚାଲାଣ ହେଉଛି । ମାଲାମାଲ ହେଉଛନ୍ତି ମାଫିଆ, ଚୋର ଓ କେତେକ ସ୍ଥଳରେ ପ୍ରଶାସନିକ କର୍ମଚାରୀ । ତେବେ ନିକଟରେ ନୂତନ ଭାବେ ଯୋଗଦାନ କରିଥିବା ଏସପି ଏହାର ଏକ ପରିବର୍ତ୍ତନ ଆଣିବା ଦିଗରେ ଉଦ୍ୟମ ଆରମ୍ଭ କରିଛନ୍ତି । ଏସପି ସନ୍ଦୀପ ସମ୍ପଦ ମଡ଼କରଙ୍କ ନେତୃତ୍ୱରେ ଭଦ୍ରକ ସିଟି ଡିଏସପି ଅଂଶୁମାନ ଦ୍ୱିବେଦୀ ଉକ୍ତ ଅତର୍କିତ ଚଢ଼ାଉରେ ସାମିଲ ହୋଇଥିଲେ । ବିଗତ ୩ଦିନ ଧରି ରାତି ଅଧିଆ କ୍ଷେତ୍ର ପରିଦର୍ଶନ କରି ଆସୁଥିବା ବେଳେ ଗତକାଲି ପୀରହାଟ ଥାନା ଅଧୀନ ମଙ୍ଗଳପୁର ଗାଁରେ ବ୍ୟାପକ ଚୋରା ଚାଲାଣ ହେଉଥିବା ନେଇ ଖବର ପାଇ ଚଢ଼ାଉ କରିଥିଲେ । ଗାଁର ମଙ୍ଗଳା ମନ୍ଦିର ପରିସର, ପୋଖରୀ ହୁଡ଼ା, ଗାଁଦାଣ୍ଡର ଉଭୟ ପାଶ୍ୱର୍, ବାହାବଳପୁରକୁ ଲମ୍ବିଥିବା ରାସ୍ତାର ଉଭୟ ପାଶ୍ୱର୍ରେ ଟ୍ରିପ୍ ଟ୍ରିପ୍ କୋଇଲା ବସ୍ତା ପଡ଼ିଥିବାର ଦେଖିବାକୁ ପାଇଥିଲେ । ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହିତ ପୀରହାଟ ଓ ତିହିଡ଼ି ପୁଲିସକୁ ତୁରନ୍ତ ସେଠାରେ ପହଞ୍ଚôବାକୁ ନିଦେ୍ର୍ଦଶ ଦେଇଥିଲେ । ସୋମବାର ସକାଳୁ ଆରମ୍ଭ ହୋଇଥିଲା ଚୋରା କୋଇଲା ଉଦ୍ଧାର କାର୍ଯ୍ୟକ୍ରମ । ଟ୍ରାକ୍ଟର ଲଗାଇ ୩୫୪ କୁଇଣ୍ଟାଲ କୋଇଲା ଜବତ ହୋଇଛି । ଘଟଣାକୁ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏହି ଚୋରା ଚାଲାଣ ଘଟଣାରେ କୌଣସି ବ୍ୟକ୍ତିବିଶେଷ ସମ୍ପୃକ୍ତି ଥିବା ନେଇ ପୁଲିସ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଭିନ୍ନ ଭିନ୍ନ ଢ଼ାଞ୍ଚାରେ ତଦନ୍ତ ଚାଲୁ ରହିଛି । ସେହିପରି ଛତ୍ରପଦାରେ ଶନିବାର ରାତି୍ରରେ ଚଢ଼ଉ କରାଯାଇ ୪୨ କୁଇଣ୍ଟାଲ କୋଇଲା ଜବତ କରାଯାଇଛି । ମଙ୍ଗଳପୁରରେ କୋଇଲା ଜବତ ଘଟଣାରେ ଆଇଆଇସି ପ୍ରସନ୍ନ କୁମାର ନାୟକ ଓ ଅଜୟ କୁମାର ମୁର୍ମୁ, ଏସଆଇ ସୁପ୍ରକାଶ ମହାନ୍ତି, କନେଷ୍ଟବଳ ତୁଷାର କୁମାର ପଣ୍ଡା ପ୍ରମୁଖ ପୁଲିସ ପଦାଧିକାରୀ ଉପସ୍ଥିତ ଥିଲେ ।