ନାଉପାଳ ପଡ଼ା ଗାଁକୁ କେବେ ମିଳିବ ରାଜସ୍ୱ ମାନ୍ୟତା?

 ଧର୍ମଶାଳା: କେବେ ମିଳିବ ନାଉପାଳ ପଡ଼ ଗାଁକୁ ରାଜସ୍ୱ ମାନ୍ୟତା? । ଏଭଳି ପ୍ରଶ୍ନ ପଡ଼ା ଗ୍ରାମବାସୀଙ୍କ ମନରେ ଉଠିଛି । ଧର୍ମଶାଳା ବ୍ଲକ୍ ଚୋରମୁହାଁ ପଞ୍ଚାୟତ ନାଉପାଳ ପଡ଼ା ଗାଁକୁ ରାଜସ୍ୱ ଗ୍ରାମ ମାନ୍ୟତା ଦେବା ପାଇଁ ବହୁ ବର୍ଷ ହେଲା ଗ୍ରାମବାସୀ ଦାବି କରିଆସୁଛନ୍ତି । ରାଜସ୍ୱ ଗ୍ରାମ ମାନ୍ୟତା ପାଇବାକୁ ଏହି ଗାଁର ସମସ୍ତ ଯୋଗ୍ୟତା ଥାଇ ସୁଦ୍ଧା ଦୀର୍ଘ୧୩ବର୍ଷ ହେଲା ଏନେଇ କୌଣସି ପଦକ୍ଷେପ ନିଆଯାଉନାହିଁ । ଫଳରେ ଉକ୍ତ ଗ୍ରାମବାସୀ ବିଭିନ୍ନ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁସାରେ, ସ୍ୱାଧୀନତା ପରଠାରୁ ନାଉପାଳ ଗାଁ ବଡ଼ମଙ୍ଗଳପୁର ରାଜସ୍ୱ ଗ୍ରାମର ପଡ଼ାଗାଁ ହୋଇ ରହିଆସିଛି । ୩ଟି ୱାର୍ଡ଼କୁ ନେଇ ଗଠିତ ଏହି ଗାଁର ଜନସଂଖ୍ୟା ୧୨ଶହରୁ ଅଧିକ ହୋଇଥିବା ବେଳେ ଏଠାରେ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ର, ୨ଟି ଯୁବକ ସଂଘ,୧୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କୋଠଘର ଚଉପାଦି, ମଠ, ଭାଗବତ ଟୁଙ୍ଗି, ଶ୍ମଶାନ, ଗୋଚର ଆଦି ବିଭିନ୍ନ ସୁବିଧା ସୁଯୋଗ ରହିଛି । ଏସଂପର୍କରେ ଗ୍ରାମବାସୀ ବାରମ୍ବାର ପ୍ରଶାସନ ଓ ଧର୍ମଶାଳାର ତକ୍ରାଳୀନ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ । ରାଜ୍ୟ ସରକାର ଆସନ୍ତା ଡିସେମ୍ବର ମାସ ସୁଦ୍ଧା ୪ହଜାର ପଡ଼ା ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବାପାଇଁ ନିଷ୍ପତ୍ତି ଗ୍ରହଣ କରିଥିବା ନେଇ ନଭେମ୍ବର ୭ତାରିଖରେ ଖବର ପ୍ରକାଶ ପାଇଥିଲା । ସରକାରଙ୍କର ପୂର୍ବ ନିଷ୍ପତ୍ତି ଚିଠି ନମ୍ବର-୩୯୧୧୧୪/୧୧ା୯ା୧୯୯୪ ଅନୁସାରେ ଗ୍ରାମର ଜନସଂଖ୍ୟା ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ସଂପର୍କରେ ତଦନ୍ତ କରି ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଧର୍ମଶାଳା ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ଧର୍ମଶାଳା ତହସିଲଦାର ରାଜସ୍ୱ ଗ୍ରାମ ବଡ଼ମଙ୍ଗଳପୁରରୁ ନାଉପାଳକୁ ପୃଥକ ରାଜସ୍ୱ ଗ୍ରାମର ମାନ୍ୟତା ଦେବାପାଇଁ ଆବଶ୍ୟକୀୟ କାଗଜପତ୍ର ଯାଜପୁର ଜିଲାପାଳଙ୍କ ନିକଟକୁ ପଠାଇଥିବା ଜଣାପଡିଛି । ତେବେ୧୩ବର୍ଷ ତଳେ ଅତିରିକ୍ତ ଜିଲାପାଳଙ୍କ ପତ୍ରସଂଖ୍ୟା-୩୫୨୫/୨୩ା୧୨ା୧୧ରେ ଯୋବ୍ରାସ୍ଥିତ ଆସିଷ୍ଟାଣ୍ଡ ସେଟ୍ଲମେଣ୍ଟ ଅଫିସର(ଏଏସ୍ଓ)ଙ୍କୁ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ଜଣାଇଥିଲେ । ୧୩ବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ବିସିପି କେଶ୍ ରେକର୍ଡÿ ନମ୍ବର-୬/୧୧ରେ ନାଉପାଳ ଗ୍ରାମକୁ ରାଜସ୍ୱ ଗ୍ରାମ ମାନ୍ୟତା ଦେବାପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ କେବଳ ଘୋଷଣା ବାକି ରହିଥିବା କୁହାଯାଇଛି । ଗ୍ରାମକୁ ଯଥାଶୀଘ୍ର ରାଜସ୍ୱ ଗ୍ରାମ୍ୟ ମାନ୍ୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।