ନୀଳଗିରି: ଭଲ ପାଠପଢା ସହିତ କ୍ରିକେଟ ଖେଳରେ ଉନ୍ନତ ପ୍ରଦର୍ଶନ କରି ଓଡ଼ିଶା ସମେତ ସମଗ୍ର ଦେଶରେ ଜଣେ ଉଚ୍ଚକୋଟୀର ଖେଳାଳୀ ହେବାର ସ୍ବପ୍ନ ଦେଖିଥିବା ବଣପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ ନୀଳଗିରି ସିଆଡିମାଳ ଗାଁର କୁନିଝିଅ ଶୁଭଲକ୍ଷ୍ମୀ। ବାପା ବାବୁଲା ସିଂ ପ୍ରାଥମିକ ଶିକ୍ଷକ ହୋଇଥିବା ବେଳେ ମାଆ ବାସନ୍ତୀ ଜଣେ ଗୃହିଣୀ ଅଟନ୍ତି। ବାଲ୍ୟକାଳରୁ କ୍ରିକେଟ ପ୍ରତି ଆଗ୍ରହୀ ଶୁଭଲକ୍ଷ୍ମୀର ଦୁର୍ବଳତାକୁ ଅନୁଭବ କରି ବାପା ଗାଁରେ ଥିବା ଛୋଟିଆ ପଡ଼ିଆରେ ଦୈନନ୍ଦିନ ଝିଅକୁ କ୍ରିକେଟ ଖେଳରେ ସହଯୋଗ କରିଥିଲେ। ସେଭଳି ଉନ୍ନତ ମାନର ପ୍ରଶିକ୍ଷଣ ନପାଇ ମଧ୍ୟ ଖେଳପ୍ରତି ତାଙ୍କର ନିଷ୍ଠା ଓ ପରିଶ୍ରମ ପାଇଁ ସେ ଆଜି ଜିଲ୍ଲାରୁ ପ୍ରତିନିଧିତ୍ଵ କରି ରାଜ୍ୟ ତଥା ରାଜ୍ୟ ବାହାରେ ତାଙ୍କର ଶ୍ରେଷ୍ଠତା ପ୍ରଦର୍ଶନ କରି ଲୋକଲୋଚନକୁ ଆସିପାରିଛନ୍ତି। ନୀଳଗିରି ଇଂଲିଶ ମିଡିୟମ୍ ସ୍କୁଲରେ ଅଧ୍ୟୟନ କରୁଥିବା ୧୫ବର୍ଷର କୁନିଝିଅ ଶୁଭଲକ୍ଷ୍ମୀ ବାଲେଶ୍ୱର ଜିଲ୍ଲା ତରଫରୁ ୧୯ବର୍ଷରୁ କମ୍ ମହିଳା ଟି -୨୦ଦଳରେ ସାମିଲ ହୋଇ ଓଡ଼ିଶା କ୍ରିକେଟ ଆସୋସିଏସନ୍ ଦ୍ଵାରା କଟକ ଠାରେ ଆୟୋଜିତ ମ୍ୟାଚରେ ସାମିଲ ହୋଇ ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରିଥିଲେ। ଉଭୟ ବ୍ୟାଟିଂ ଏବଂ କିପିଂରେ ଗ୍ରୁପ (ବି) ମ୍ୟାଚ୍ ରେ ଭାଗନେଇ ପ୍ରଥମ ତିନିଗୋଟି ମ୍ୟାଚରେ ଉନ୍ନତ ମାନର ଖେଳ ଖେଳିଥିଲେ। ଗୋଟିଏ ମ୍ୟାଚରେ ୪୩ବଲରୁ ୩୨ରନ ସଂଗ୍ରହ କରି ଚୟନକର୍ତ୍ତାଙ୍କ ଶୁଭଦୃଷ୍ଟିରେ ରହିଥିଲେ। ଫଳରେ ଆଗାମୀ ମ୍ୟାଚପାଇଁ ପାଇଁ ତାଙ୍କ ସହିତ ବାଲେଶ୍ୱରରୁ ଆଉ ଦୁଇଜଣ ଖେଳାଳୀଙ୍କୁ ଚୟନ କରାଯାଇ ସେପ୍ଟେମ୍ବର ୫ତାରିଖରେ ଯୋଗଦେବାକୁ ଓସିଏ ସୁଯୋଗ ଦେଇଛି। ଯେଉଁମାନେକି ଫାଇନାଲ ଦଳରେ ଚୟନ ହେବେ। ଏନେଇ ଶୁଭଲକ୍ଷ୍ମୀ ଉତ୍ସାହିତ ଥିବା ବେଳେ ବାପା ବାବୁଲା ସିଂ ଓସିଏ କୁ ଧନ୍ୟବାଦ ଦେଇଛନ୍ତି। ଝିଅର ଏଭଳି ସଫଳତା ପାଇଁ ପରିବାର ସମେତ ସମଗ୍ର ନୀଳଗିରିରେ ଖୁସିର ଲହରୀ ଖେଳିଯାଇଛି।