ଆନ୍ତଜିଲ୍ଲା ଓ ରାଜ୍ୟ ଟେବୁଲ ଟେନିସ ଚାମ୍ପିଅନସିପ ଆରମ୍ଭ
ଭୁବନେଶ୍ୱର: ୩୦ ତମ ଆନ୍ତ ଜିଲ୍ଲା ତଥା ରାଜ୍ୟ ଟେବୁଲ ଟେନିସ ଚାମ୍ପିଅନସିପ ଆଜିଠାରୁ କଟକ ସିଡିଏ ସେକ୍ଟର-୭ ସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ହଲଠାରେ ଆରମ୍ଭ ହୋଇଛି । ଚଳିତ ବର୍ଷ ୧୯ଟି ଜିଲ୍ଲା ଓ ଚାରିଟି ଅନୁଷ୍ଠାନରୁ ୪୦୦ ଜଣ ଖେଳାଳି ଭାଗ ନେଉଛନ୍ତି । ଏମାନଙ୍କ ମଧ୍ୟରେ ୨୫୦ ଜଣ ପୁରୁଷ ଓ ୧୫୦ ଜଣ ମହିଳା ଅଛନ୍ତି । ଏହି ଅବସରରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ରାଜ୍ୟ କ୍ରୀଡ଼ା ଯୁବ ବ୍ୟାପାର ବିଭାଗ ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନର ସଂପାଦକ ଅଭିଜିତ ପାଲ ଯୋଗ ଦେଇଥିଲେ । କଟକ ଜିଲ୍ଲା କ୍ରୀଡ଼ା ଅଧିକାରୀ ରଶ୍ମୀରଞ୍ଜନ ସାମନ୍ତରାୟ, ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ଆସୋସିଏସନର ସଂପାଦକ ରବୀନ୍ଦ୍ର କୁମାର ପରିଡ଼ା ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଆଜି ଅନୁଷ୍ଠିତ ପୁରୁଷ ବିଭାଗ ଗ୍ରୁପ-ଏରେ ଏଜି ଓଡ଼ିଶା କେନ୍ଦୁଝର ଓ କିଟ-ବିକୁ ପରାସ୍ତ କରିଥିବା ବେଳେ ପୁରୀ-ବି କିଟ-ବିକୁ ପରାସ୍ତ କରିଥିଲା । ସେହିପରି ଗ୍ରୁପ-ବିରେ କଟକ-ଏ ପୁରୀ-ଏ ଓ କିଟ-ଏକୁ ପରାସ୍ତ କରିଥିବା ବେଳେ ପୁରୀ-ଏ ରାଉରକେଲା ଷ୍ଟିଲ ପ୍ଲାଣ୍ଟକୁ ପରାସ୍ତ କରିଥିଲା । ଗ୍ରୁପ-ସିରେ ଖୋର୍ଦ୍ଧା-ଏ ଅନୁଗୁଳୁ-ଏ ଓ ବାଲେଶ୍ୱର-ଏକୁ ପରାସ୍ତ କରିଥିବା ବେଳେ ଇକୋ-ରେଲୱେ ବାଲେଶ୍ୱରକୁ ପରାସ୍ତ କରିଥିଲା । ସେହିପରି ଗ୍ରୁପ-ଡିରେ କଟକ-ବି ବ୍ରହ୍ମପୁର-ଏ ଓ ବରଗଡ଼କୁ ପରାସ୍ତ କରିଥିବା ବେଳେ ଭୁବନେଶ୍ୱର ବରଗଡ଼କୁ ପରାସ୍ତ କରିଥିଲା ।