କପିଳାସ ମହୋତ୍ସବ ଉଦ୍ଘାଟିତ
ଢେଙ୍କାନାଳ ମାଇକ୍ରୋମିଡିଆ ଆୱାରନେସ୍ ଅନୁଷ୍ଠାନ ପକ୍ଷରୁ କପିଳାସ ମହୋତ୍ସବ ଉଦ୍ଘାଟିତ ହୋଇ୍ାଇଛି । ଅନୁଷ୍ଠାନର ୨୫ତମ ପ୍ରତିଷ୍ଠା ଦିବସ ତଥା ରାଜ୍ୟସ୍ତରୀୟ ପ୍ରତିଭା ଚୟନ ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମର ୨୨ବର୍ଷ ପର୍ତି ଉପଲକ୍ଷେ କପିଳାସର ଶ୍ରୀଶ୍ରୀ ଚନ୍ଦ୍ରଶେଖର ଜିଉ ଓ ମା’ ପାର୍ବତୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ଅତିଥିମାନେ ପ୍ରଥମେ ମଶାଲରେ ଅଗ୍ନି ସଂଯୋଗ କରି ମନ୍ଦିର ବେଢ଼ା ପରିକ୍ରମା କରି ସବୁଜ ପତାକା ଦେଖାଇବା ପରେ ପର୍ବତାରୋହଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଶତାଧିକ ଛାତ୍ରଛାତ୍ରୀ ପ୍ରଥମେ ୧୩୫୨ ପାହାଚ ଏବଂ ପରେ ଦେବସଭା ପର୍ଯ୍ୟନ୍ତ ପର୍ବତ ଆରୋହଣ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ଶିଳ୍ପଦ୍ୟୋଗୀ ଗଙ୍ଗାଧର ସାମଲ, ସମ୍ମାନିତ ଅତିଥି ଭାବରେ ଗଁଦିଆ ପଂଚାୟତ ସମିତି ଅଧ୍ୟକ୍ଷା ରୀନାରାଣୀ ଖଟୁଆ, ବୟନିକାର ରାଜ୍ୟ ସଭାପତି ପ୍ରକାଶ ମେହେର, ସମାଜସେବୀ ନରେନ୍ଦ୍ର ସାହୁ, ସୁକାନ୍ତ ମିଶ୍ର, ପର୍ବତାରୋହିଣୀ ବିଭାରାଣୀ ପାତ୍ର ଓ କପିଳାସ ପୀଠର ସେବାୟତମାନେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ ଏଭେରେଷ୍ଟ ଆରୋହିଣୀ ସ୍ୱର୍ଗତ କଳ୍ପନା ଦାଶଙ୍କ ସ୍ମୃତିରେ ଉତ୍ସର୍ଗ କରାଯାଇଥିଲା । ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ବାସିନ୍ଦା ଏଥିରେ ସାମିଲ ହୋଇଥିଲେ । ମାଇକ୍ରୋମିଡିଆର ନିଦେ୍ର୍ଦଶକ ଅଥୟ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କପିଳାସ ମହୋତ୍ସବର ଆବାହକ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସଭାପତି ପରେଶ ଚନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ । ଅପରାହ୍ନରେ ସହିଦ ବୀର ବାଜି ରାଉତଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ବାଜିଚୌକ ଛକଠାରୁ ମଶାଲ ସହ ପାଇକ ଖେଳ ପ୍ରଦର୍ଶନ, ମହିଳା ସଂକୀର୍ତନ, କ୍ରୀଡ଼ା ଅନୁଷ୍ଠାନ, କଳାପ୍ରେମୀ ମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସଂଧ୍ୟାରେ ଟାଉନ୍ ହଲ୍ ବିଭିନ୍ନ ସ୍ଥାନରୁ ଆସିଥିବା ସଂକୀର୍ତନ ମଣ୍ଡଳୀଙ୍କ ଦ୍ୱାରା ଲୋକକଳା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସ୍ୱତନ୍ତ୍ର କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥି ସହ ସାହିତ୍ୟିକ ଡ. ବିଧାନ ଚନ୍ଦ୍ର ମିଶ୍ରଙ୍କ ସ୍ମୃତି ସଂଧ୍ୟା ନାମରେ ନାମିତ ସଭାକୁ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ବରିଷ୍ଠ ଆଇନ୍ଜୀବୀ ଦୀପ୍ତିଶ ପ୍ରସାଦ ପଟ୍ଟନାୟକ, କବି ବାହାଦୂର ପାଟ୍ଟସାହାଣି, ଅଧ୍ୟାପିକା ଡ. ପୁଷ୍ପଲତା ରଥ, ଜିଲ୍ଲା ଲେଖକ ସଂସଦର ସଭାପତି ବସନ୍ତ କୁମାର ପଟ୍ଟନାୟକ, ଢେଙ୍କାନାଳ ସାଂଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ସମୀର କୁମାର ସାହୁ ଯୋଗଦେଇଥିଲେ । ବିଧାନ ଚନ୍ଦ୍ର ମିଶ୍ର ସ୍ମୃତି ସଂସଦର ଅଧ୍ୟକ୍ଷ ଦେବାଶିଷ ମିଶ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ସେବାକାର୍ଯ୍ୟ ପାଇଁ ଥିଙ୍କର୍ସ ଫୋରମ୍, ଶିକ୍ଷକତା କ୍ଷେତ୍ରରେ ଶିକ୍ଷାବିତ୍ ଦେବୀପ୍ରସାଦ ମିଶ୍ର, ଶିକ୍ଷୟିତ୍ରୀ କିରଣ ପାଣିଗ୍ରାହୀ, ଯୁବ ସମାଜସେବୀ ପବିତ୍ର ମୋହନ ମହାରଣା, ଅନୁଗୁଳର ସାହିତ୍ୟିକା ଅନୀତା ପାଣି, ଶିଶୁ ପ୍ରତିଭା ଶୀତଲ ପରିଡ଼ା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦୁଇ ଦିନ ଧରି ଗୋପବନ୍ଧୁ ଟାଉନହଲଠାରେ ବିଭିନ୍ନ କାର୍ଯ୍ୟକ୍ରମ ସହ ରାଜ୍ୟର ବିଭିନ୍ନ ପ୍ରତିଭାଧାରୀ ବ୍ୟକ୍ତିମାନଙ୍କୁ ସମ୍ବଦ୍ଧିତ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।