ଯୁଦ୍ଧର ପରିଣତି କଣ ସଭ୍ୟତାର ବିଲୁପ୍ତି?
ଆଜିର ବିଶ୍ୱରେ ଋଷ୍-ୟୁକ୍ରେନ୍ ଯୁଦ୍ଧ ଏବଂ ପାଲେଷ୍ଟାଇନ୍-ଇସ୍ରାଏଲ୍, ଲେବାନନ୍ ସମସ୍ୟା ଯୁଦ୍ଧରେ ପରିଣତ ହୋଇ ସମଗ୍ର ବିଶ୍ୱ ପ୍ରତି ବିପଦ ଭାବରେ ବାରମ୍ବାର ମୁଣ୍ଡବିନ୍ଧାର କାରଣ ପାଲଟୁଛି । ବିଶେଷ କରି ଋଷ-ୟୁକ୍ରେନ୍ ଯୁଦ୍ଧରେ ଋଷ୍ ଭଳି ଏକ ବିଶାଳ ଦେଶକୁ ୟୁକ୍ରେନ୍ ଭୟଙ୍କର ଭାବରେ ଆଘାତ ଦେଇଥିବାରୁ ଋଷ୍ ପ୍ରତିଶୋଧପରାୟଣ ହେବା ଏକ ସ୍ୱାଭାବିକ ଘଟଣା । ୟୁରୋପୀୟ ୟୁନିଅନ୍ରେ ୟୁକ୍ରେନ୍ ସାମିଲ୍ ହେବା ଘଟଣାକୁ ନେଇ ଋଷ୍ କ୍ଷୁବ୍ଧ ଏବଂ ୟୁକ୍ରେନ୍ର ୟୁରୋପୀୟ ୟୁନିଅନ୍ ସହିତ ସମ୍ପର୍କ ଚ୍ଛିନ୍ନ ନ ହେଲେ ଋଷ୍ ଏହି ଘଟଣାକୁ ନିଜ ଦେଶର ସାର୍ବଭୌମତ୍ୱ ପ୍ରତି ବିପଦ ବୋଲି ମନେ କରି ୟୁକ୍ରେନ୍ ଉପରେ ବଳ ପ୍ରୟୋଗ କରିବା ନିଶ୍ଚିତ ରୂପେ ଏକ ନୈତିକତା ନୁହେଁ । କିନ୍ତୁ କୌଣସି ଏକ ଦେଶର ସାର୍ବଭୌମତ୍ୱ କ୍ଷେତ୍ରରେ ଦେଖା ଦେଉଥିବା ସମସ୍ୟା କେବଳ ସେହି ଦେଶର ହିଁ ସମସ୍ୟା । ସେଥିରେ ଅନ୍ୟ କୌଣସି ରାଷ୍ଟ୍ର ହସ୍ତକ୍ଷେପ କରିବା ଶୋଭନୀୟ ନୁହେଁ । ଏହା ଋଷ୍ ପାଇଁ ସାର୍ବଭୌମତ୍ୱର ପ୍ରଶ୍ନ ହୋଇଥିବା ବେଳେ ୟୁକ୍ରେନ୍ ପାଇଁ ମଧ୍ୟ ସାର୍ବଭୌମତ୍ୱର ପ୍ରଶ୍ନ । ତେଣୁ ଦୁଇଟି ଦେଶର ବିବାଦ ଦୁଇଟି ଦେଶ ମଧ୍ୟରେ ସୀମିତ ରହିବା କଥା ।
ବର୍ତ୍ତମାନର ବିଶ୍ୱରେ ସେ ପ୍ରକାରର ସୀମା ନିର୍ଦ୍ଧାରଣ କରିହେବ ନାହିଁ । କାରଣ ପ୍ରତ୍ୟେକ ରାଷ୍ଟ୍ର ମିଳିତ ଜାତିସଂଘ ଭଳି ସଂସ୍ଥାର ସଦସ୍ୟ ହେବା ସହିତ ଅର୍ଥନୀତିକ ତଥା ରାଜନୀତିକ କ୍ଷେତ୍ରରେ ବିଭିନ୍ନ ରାଷ୍ଟ୍ର ସହିତ ସିଧାସଳଖ ସମ୍ପର୍କ ରଖିବାକୁ ବାଧ୍ୟ । ସେ ଦୃଷ୍ଟିରୁ ୟୁକ୍ରେନ୍ର ସାର୍ବଭୌମତ୍ୱରେ ଋଷିଆ ହସ୍ତକ୍ଷେପ କରିବା ଅନୁଚିତ୍, କିନ୍ତୁ କରୁଛି । ଅନ୍ୟପକ୍ଷରେ ୟୁକ୍ରେନ୍କୁ ଆମେରିକା ଭଳି ରାଷ୍ଟ୍ର ସିଧାସଳଖ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଛି । ୟୁରୋପୀୟ ୟୁନିଅନ୍ର ପ୍ରାୟ ୨୦ଟିରୁ ଅଧିକ ରାଷ୍ଟ୍ର ୟୁକ୍ରେନ୍କୁ ଯୁଦ୍ଧାସ୍ତ୍ର ସହାୟତା ଭାବରେ ଯୋଗାଇ ଦେଉଛନ୍ତି । ଋଷ୍କୁ ମଧ୍ୟ ଚୀନ୍ ଭଳି କେତେକ ରାଷ୍ଟ୍ର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ସମର୍ଥନ ଦେଉଛନ୍ତି । ତେଣୁ ଋଷ୍-ୟୁକ୍ରେନ୍ ପରିସ୍ଥିତି ଦୁଇଟି ରାଷ୍ଟ୍ର ଗୋଷ୍ଠୀ ସମସ୍ୟାରେ ପରିଣତ ହୋଇଯାଇଛି । ବିଭିନ୍ନ ସମୟରେ ଦୀର୍ଘ ଅଢ଼େଇ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଲାଗି ରହିଥିବା ଏହି ଯୁଦ୍ଧକୁ ଆଣବିକ ଯୁଦ୍ଧରେ ପରିଣତ କରିବା ପାଇଁ ଋଷ୍ ଧମକ ଦେଇଆସୁଛି । ଏ ପ୍ରକାରର ଧମକ ପ୍ରତି ମୁହୂର୍ତ୍ତରେ ଆଉ ଏକ ବିଶ୍ୱଯୁଦ୍ଧର ସୂତ୍ରପାତ ସମ୍ଭାବନାକୁ ଉଜ୍ଜୀବିତ କରୁଛି । ଏମିତି ବି ଦେଖିଲେ ଋଷ୍-ୟୁକ୍ରେନ୍ ଯୁଦ୍ଧରେ ଅନେକ ରାଷ୍ଟ୍ରଙ୍କର ସମ୍ପୃକ୍ତି ରହିଛି । ତେଣୁ ଯୁଦ୍ଧର ଭୟ ଭିତରେ ଏବେ ବି ପୃଥିବୀ ଗତି କରୁଛି । ଋଷିଆ ଉପରେ ଦୂରଗାମୀ କ୍ଷେପଣାସ୍ତ୍ର କିମ୍ବା ବାଲିଷ୍ଟିକ୍ ମିଶାଇଲ୍ର ପ୍ରୟୋଗ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଅନୁମତି ଦେଇ ସାରିଲେଣି । ପ୍ରାୟ ୩ ମାସ ତଳୁ ଋଷିଆ ମଧ୍ୟ ଆଣବିକ କ୍ଷେପଣାସ୍ତ୍ରର ସମରାଭ୍ୟାସ କରିସାରିଲାଣି । ତେଣୁ ପୃଥିବୀ କୁଆଡ଼କୁ ଗତି କରୁଛି ତାହା ସହଜରେ ଅନୁମେୟ । ଯଦି ଆଣବିକ ଅସ୍ତ୍ରର ପ୍ରୟୋଗ ହୁଏ, ତେବେ ଏହା ବିଶ୍ୱଯୁଦ୍ଧରେ ପରିଣତ ହେବା ଖୁବ୍ ସମୟ ନେବ । ଯଦି ଏଭଳି କିଛି ହୁଏ ବୋଧହୁଏ ବିଶ୍ୱରୁ କିଛି କ୍ଷୁଦ୍ର କ୍ଷୁଦ୍ର ରାଷ୍ଟ୍ର ନିଶ୍ଚିହ୍ନ ହୋଇଯିବେ । ଯୁଦ୍ଧର ପରିସ୍ଥିତି ଯାହା ହେଉନା କାହିଁକି ବିଶ୍ୱର ଜଳବାୟୁ ପରିସ୍ଥିତି ଏଭଳି ଏକ ଯୁଦ୍ଧରେ ଭୟଙ୍କର ଭାବରେ କ୍ଷତିଗ୍ରସ୍ତ ହେବ । ଏହାର ପରବର୍ତ୍ତୀ ପରିଣତି ସମଗ୍ର ବିଶ୍ୱର ଜଳବାୟୁ ଉପରେ ପଡିବ । ଏପରିକି ଶହ ଶହ ବର୍ଷ ଧରି ପୃଥିବୀପୃଷ୍ଠର ଜଳବାୟୁର ଆଣବିକ ବୋମାର ବିକିରଣ ପ୍ରଭାବ ଲାଗି ରହିବ । ତେଣୁ ବିଶ୍ୱଯୁଦ୍ଧ ଭଳି ଏକ ପରିସ୍ଥିତିକୁ କେହି ଚାହୁଁନଥିଲେ ମଧ୍ୟ ଏହା ହଠାତ୍ ସୃଷ୍ଟି ହୋଇଯିବ । କାରଣ ସେ ପ୍ରକାରର ପରିସ୍ଥିତି ପ୍ରାୟତଃ ସୃଷ୍ଟି ହୋଇଗଲାଣି । ତେଣୁ ମିଳିତ ଜାତିସଂଘ ବର୍ତ୍ତମାନ ସମୟରେ ନିଜର ସାଙ୍ଗଠନିକ ଉଦେ୍ଦଶ୍ୟକୁ ପୂରଣ କରିବା ପାଇଁ ଆଗେଇ ଆସିବା ଜରୁରୀ ।