ସିବିଆଇ ଗିରଫଦାରୀ ବିରୋଧରେ କେଜ୍ରିୱାଲଙ୍କ ଆବେଦନ ଖାରଜ
ନୂଆଦିଲ୍ଲୀ: ସିବିଆଇ ଗିରଫଦାରୀ ବିରୁଦ୍ଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନ ଖାରଜ ହୋଇ ଯାଇଛି । ଆଜି ଦିଲ୍ଲୀ ହାଇକୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ସିବିଆଇ । ସେ ଏହି ମାମଲାରେ ଅର୍ଥ ହେରଫେର ଅଭିଯୋଗରେ ଇଡି ପକ୍ଷରୁ ଗିରଫ ହୋଇ ତିହାର ଜେଲରେ ଥିବାବେଳେ ସେହିଠାରୁ ହିଁ ସିବିଆଇ ତାଙ୍କୁ ଗିରଫ କରିଥିଲା । ଏହି ସମୟରେ କେଜ୍ରିୱାଲଙ୍କୁ ଇଡି ଗିରଫଦାରୀ ବିରୁଦ୍ଧରେ ରାଉଜ ଆଭେନୁ୍ୟ କୋର୍ଟରୁ ବେଲ୍ ମିଳି ସାରିଥିଲା । ତେଣୁ ସିବିଆଇ ଗିରଫଦାରୀକୁ ଉଦେ୍ଦଶ୍ୟମୂଳକ ଦର୍ଶାଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କେଜ୍ରିୱାଲ । ଏଥିସହ ଜାମିନ ପାଇଁ ମଧ୍ୟ ଆବେଦନ କରିଥିଲେ । ଜୁଲାଇ ୧୭ରେ ଏହାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ । ଆଜି ଜଷ୍ଟିସ ନୀନା ବଂଶାଲୀ ରାୟ ପ୍ରକାଶ କରି କେଜ୍ରିୱାଲଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି । ଏଥିସହ ଜାମିନ ପାଇଁ ସ୍ୱତନ୍ତ୍ର ଜଜଙ୍କ ଦ୍ୱାରସ୍ଥ ହେବାକୁ ପରାମର୍ଶ ଦେଇଛନ୍ତି । ଜୁଲାଇ ୧୨ରେ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀ କାଳୀନ ଜାମିନ ଦେଇ ସାରିଛନ୍ତି । ଇଡି ଗିରଫ କରିଥିବା ଅର୍ଥ ହେରଫେର ଅଭିଯୋଗରେ ତାଙ୍କୁ ଏହି ଜାମିନ ମିଳିଛି । କିନ୍ତୁ ସିବିଆଇ ମାମଲାର ସମାଧାନ ହୋଇନଥିବାରୁ ସେ ଏବେ ଜେଲରେ ଅଛନ୍ତି ।